ଜାତୀୟ ମାନବାଧିକାର ଆୟୋଗର ବିଶେଷ ପ୍ରତିବେଦକ ଙ୍କ ଜଗତସିଂହପୁର ଜିଲ୍ଲାରେ ମାନବାଧିକାର ସ୍ଥିତି ସମ୍ପର୍କିତ ଆଲୋଚନା

9

ଜଗତସିଂହପୁର, ତା ୧୮/୦୯/୨୬: ଜାତୀୟ ମାନବାଧିକାର ଆୟୋଗର ବିଶେଷ ପ୍ରତିବେଦକ ଶ୍ରୀ ସନ୍ତୋଷ କୁମାର ଶତପଥୀ ୩ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ଆଜି ଶେଷ ଦିନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ଆଲୋଚନାତ୍ମକ ବୈଠକ ରେ ଜିଲ୍ଲାରେ ମାନବାଧିକାର ସ୍ଥିତି ସମ୍ପର୍କିତ ଆଲୋଚନା କରିଥିଲେ। ବୈଠକ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,
ଡି ଏଫ୍ ଓ କଟକ,ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜେଲ୍ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଙ୍କ ସମେତ ବିଭିନ୍ନ NGO ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ପ୍ରତିବେଦକ ଶ୍ରୀ ଶତପଥୀ କହିଥିଲେ ଯେ,ଆଜିର ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲାରେ ମାନବାଧିକାରର ବର୍ତ୍ତମାନ ସ୍ଥିତି, ବିଭିନ୍ନ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପ, କ୍ଷେତ୍ରସ୍ତରର ସମସ୍ୟା ଏବଂ ମାନବାଧିକାର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାର ଉପାୟ ସମ୍ପର୍କରେ ଆଲୋଚନା କରିବା।
ମାନବାଧିକାର ସୁରକ୍ଷା ଏକ ସମନ୍ୱିତ ଦାୟିତ୍ୱ। ଏଥିରେ ପ୍ରଶାସନ, ପୋଲିସ, ବନ ବିଭାଗ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜେଲ୍ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗର ଭୂମିକା ରହିଛି।

ବିଶେଷକରି ମହିଳା ଓ ଶିଶୁଙ୍କ ସୁରକ୍ଷା, ଶିଶୁ ବିବାହ ଓ ଶିଶୁ ଶ୍ରମ ନିରାକରଣ, ଘରୋଇ ହିଂସା, ଯୌତୁକ ନିରୋଧ, ଦଳିତ ବର୍ଗଙ୍କ ଅଧିକାର, ଦିବ୍ୟାଙ୍ଗଜନଙ୍କ ଅଧିକାର, ବରିଷ୍ଠ ନାଗରିକ ଙ୍କ ସୁରକ୍ଷା, ଜେଲ୍ ଓ ହାଜତରେ ମାନବାଧିକାର, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଅଧିକାର, ଜୀବିକା ଓ ସାମାଜିକ ସୁରକ୍ଷା ଭଳି ବିଷୟ ଉପରେ ବିଭାଗୀୟ ଦୃଷ୍ଟିକୋଣରୁ ଆଲୋଚନା ଆବଶ୍ୟକ।
ଜିଲ୍ଲାରେ ନିଜର କ୍ଷେତ୍ର ପରିଦର୍ଶନ ର ଅନୁଭୂତି ରୁ ସେ ମିଶନ ଶକ୍ତି ରେ ମା ମାନଙ୍କ ସଫଳତା, ଲକ୍ଷପତି ଦିଦି ସୃଷ୍ଟି ଆଦି ସମ୍ପର୍କରେ ନିଜର ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା କୁ ନମ୍ବର ୧ ରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ଜିଲ୍ଲାରେ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗର ନିରାକରଣ, ପୀଡ଼ିତ ବ୍ୟକ୍ତିଙ୍କୁ ଆବଶ୍ୟକ ସହାୟତା, ଆଇନଗତ ସହାୟତା ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ସରକାରୀ କଲ୍ୟାଣମୂଳକ ସେବା ପହଞ୍ଚାଇବା ମଧ୍ୟ ଆମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ସେ କହିଥିଲେ।

ବୈଠକ ରେ ଉପସ୍ଥିତ NGO ସଂଗଠନଗୁଡ଼ିକ ସମାଜର ତଳସ୍ତରରେ କାର୍ଯ୍ୟ କରୁଥିବାରୁ, ସେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ କାର୍ଯ୍ୟକାରିତା ଦିଗରେ ପ୍ରତିବନ୍ଧକ ଓ ନିରାକରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ।NGO ସଦସ୍ୟ ମାନେ ମଧ୍ୟ ଗ୍ରାହକ ସଚେତନତା, ଅନୁସୂଚିତ ଜାତି ଜନଜାତି ସମସ୍ୟା, ମାତୃ ଶିଶୁ କଲ୍ୟାଣ ଆଦି ବିଷୟରେ ଆଲୋଚନା କରିଥିଲେ।
ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରତିବେଦକ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ର ମାନବାଧିକାର ଓ ନ୍ୟାୟ ର କାର୍ଯ୍ୟକାରିତା କୁ ତ୍ୱରାନ୍ୱିତ କରିବାକୁ ବିଭଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମଧ୍ୟ ଜିଲ୍ଲାରେ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନ ର ଭୂମିକା ଵିଷୟ ରେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ପ୍ରକାଶ ଥାଉକି, ଜାତୀୟ ମାନବାଧିକାର ଆୟୋଗର ବିଶେଷ ପ୍ରତିବେଦକ ଶ୍ରୀ ଶତପଥୀ ୩ ଦିନିଆ ଗସ୍ତ ରେ ଆସି ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ମିଶନ ଶକ୍ତି ମହିଳା ମାନଙ୍କ ଉଦ୍ୟୋଗ, ୱାନ ଷ୍ଟପ ସେଣ୍ଟର, ଜିଲ୍ଲା କାରାଗାର, ଆଳିପିଙ୍ଗଳ ଓ ସମାଗୋଳ ସବ୍ ଜେଲ, ଉନ୍ନୟନ ମୁଳକ ପ୍ରକଳ୍ପ, ଅନୁସୂଚିତ ଜାତି ବସତି ଆଦି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଅନୁସୂଚିତ ଜାତି ବସତି ରେ ଆବଶ୍ୟକୀୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାରେ ଏହାର କାର୍ଯ୍ୟକାରିତା ସମ୍ବନ୍ଧୀୟ ରିପୋର୍ଟ ସେ ମାନବାଧିକାର ଆୟୋଗ ଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.