ଧର୍ମ

32


🔹🔹🔹


ମାଟିର ଧର୍ମ — ସଭିଙ୍କୁ ଦିଏ ଖାଦ୍ୟ ବାସ
ଜଳର ଧର୍ମ — ମେଣ୍ଟାଏ ସମସ୍ତଙ୍କ ଶୋଷ
ବାୟୁର ଧର୍ମ — ସବୁରି ପ୍ରାଣ
ରକ୍ଷାକାରୀ
ଅନନ୍ତ ଆକାଶେ ରହି
ସୂର୍ଯ୍ୟ ଚନ୍ଦ୍ର ଦିଅନ୍ତି ଆଲୋକ
ବନ ଗିରି ସରିତ ସାଗର
ତରୁ ତୃଣ ଉଦ୍ଭିଦ ନିକର
ଧର୍ମ ତାଙ୍କ ଅଟେ ନିତ୍ୟ
ସାଧିବାକୁ ପର ଉପକାର ।।

ନିରଳସେ ପ୍ରକୃତି
ପରକୁ ଆପଣା କରି
ଖାଲି ଦେଇଯାଏ
କିଛି ପ୍ରତ୍ଯାଶା ନରଖି
ସାରା ଜଗତ ହିତରେ
ସମର୍ପିତ ହୋଇଯାଏ ।।

ବୋଧହୁଏ ଏହା ହିଁ ଧର୍ମର ସଂଜ୍ଞା
ବିଭେଦ ନୁହେଁ ସଦ୍ଭାବ
ବିରାଗ ନୁହେଁ ଅନୁରାଗ
ବିନାଶ ନୁହେଁ ସୁରକ୍ଷା
ସ୍ଵାର୍ଥ ନୁହେଁ ସମର୍ପଣ
ଅପକାର ନୁହେଁ ପରୋପକାର
ଘୃଣା ନୁହେଁ ଆତ୍ମୀୟତା ।।

ପରିସୀମା ନଥାଏ ଧର୍ମର
ସଂକୀର୍ଣ୍ଣତାର ଉର୍ଦ୍ଧ୍ବରେ
ମାନବିକତାର ମହତ୍ତ୍ୱରେ
ଆତ୍ମୀୟତାର ଅନାବିଳତାରେ
ଧର୍ମର ଅସ୍ତିତ୍ବ ।।


🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି

Leave A Reply

Your email address will not be published.