ଓଡ଼ଗାଁ, ୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଓ ବ୍ଲକ୍ ଅଞ୍ଚଳରେ ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଛି। ସୁସଜ୍ଜିତ ଆଲୋକ ମାଳାରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପାର୍ବଣର ଆଗମନୀ ବାର୍ତ୍ତା ବହନ କରିଥିଲା । ପ୍ରତିଯୋଗିତା ମୁଳକ ଭାବେ ଆକର୍ଷଣୀୟ ତୋରଣ ଓ ମେଢ଼ ନିର୍ମାଣ କରାଯାଇଥିବା ବେଳେ, ସନ୍ଧ୍ୟାରେ ଆଲୋକ ମାଳାରେ ଝଲସି ଉଠିଛି। ମେଢ ବୁଲିବା ସହିତ ବିଭିନ୍ନ ସ୍ଥାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଲୋକେମାନେ ଉପଭୋଗ କରିଥିଲେ। ସ୍ଥାନୀୟ ସିନେମାହଲ ଛକରେ ବିଶ୍ୱକର୍ମା ବଣିକ ସଂଘ ପକ୍ଷରୁ ଆୟୋଜିତ ପୂଜାର ମେଢ଼ଥିଲା ଆକର୍ଷଣୀୟ । ସେହିପରି ଟାକ୍ସି ଗ୍ୟାରେଜ ସମେତ ବିଭିନ୍ନ ଗ୍ୟାରେଜରେ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ହୋଇଥିଲା। ପନ୍ତିଖାରୀ ପଞ୍ଚାୟତର ମସାବାରୀଠାରେ ଥିବା ବିଶ୍ୱକର୍ମା ମନ୍ଦିରରେ ଗ୍ରାମର ଶିଳ୍ପୀକୁଳ ଓ ଅନ୍ୟମାନେ ଏକାଠି ହୋଇ ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାବ୍ୟତୀତ କୁରାଳ, କୋମଣ୍ଡ, ନନ୍ଦିଘୋର ଓ ବାହାଡ଼ାଝୋଲା ଇତ୍ୟାଦି ସ୍ଥାନ ମାନଙ୍କରେ ବିଭିନ୍ନ ବର୍ଗର କାରିଗରମାନେ ଭକ୍ତି ଓ ଶ୍ରଦ୍ଧାର ସହ ଗୁରୁବାରେ ବିଷ୍ଣୁଙ୍କ ଅନନ୍ୟ ରୁପ ବିଶ୍ୱକର୍ମା ଦେବଙ୍କ ପୂଜାର୍ଚ୍ଚନା କରିଥିଲେ।