ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ

24


​ଝାରସୁଗୁଡ଼ା, ୧୭/୯, ଝାରସୁଗୁଡ଼ା ରେଳ ଷ୍ଟେସନରେ ଯାତ୍ରୀ ସୁବିଧାର ଅଭାବ, ସୁରକ୍ଷା ବ୍ୟବସ୍ଥା, ଟ୍ରେନ୍ ବିଳମ୍ବ ଓ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ନେଇ ଗଭୀର ଚିନ୍ତାପ୍ରକଟ କରି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପ୍ରଦାନ କରାଯାଇଛି।ଏହି ଚିଠି ଝାରସୁଗୁଡ଼ା ଜିଲ୍ଲା ବିଜେଡି ର ଏକ ପ୍ରତିନିଧି ମଣ୍ଡଳ ମ୍ୟାନେଜର ଙ୍କୁ ପ୍ରଦାନ କରିଛନ୍ତି |​ଚିଠିରେ ଦର୍ଶାଯାଇଛି ଯେ, ଷ୍ଟେସନରେ ନୂତନ ରେଳ ଧାରଣା ନିର୍ମାଣ ଯୋଗୁଁ ବିକଳ୍ପ ଫୁଟ୍ ଓଭର ବ୍ରିଜଟି ବରିଷ୍ଠ ନାଗରିକ, ରୋଗୀ ଓ ଦିବ୍ୟାଙ୍ଗଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିଛି। ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥ ଆଂଶିକ ଭାବେ ବନ୍ଦ ରହିଥିବାରୁ ଏବଂ ବର୍ଷା ଜଳ ସହ ନିର୍ମାଣ ସାମଗ୍ରୀ ମିଶି ପଡ଼ିରହିଥିବାରୁ ଯାତ୍ରୀମାନେ ଖସିପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏସ୍କାଲେଟର, ଲିଫ୍ଟ କିମ୍ବା ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।​ଏହା ସହିତ ସମସ୍ତ ପ୍ଲାଟଫର୍ମରେ ବିଶୁଦ୍ଧ ପାନୀୟ ଜଳର ଅଭାବ, ଶୌଚାଳୟ ଓ ଯାତ୍ରୀ ପ୍ରତୀକ୍ଷାଳୟରେ ଜଳ ଯୋଗାଣ ନଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।ଚୌକିପଡ଼ା ଓ ବେହେରାମାଲ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଗଡ଼ିଯାଇଥିଲେ ବି ଅସମ୍ପୂର୍ଣ୍ଣ ରହିଥିବାରୁ ନାହିଁ ନଥିବା ଟ୍ରାଫିକ୍ ସମସ୍ୟା ଦେଖାଦେଉଛି।​ପାର୍ବଣ ସମୟରେ ଝାରସୁଗୁଡ଼ା ଗୋନ୍ଦିଆ, ଝାରସୁଗୁଡ଼ା ରାଞ୍ଚି, ସମ୍ବଲପୁର ଝାରସୁଗୁଡ଼ା ରାଉରକେଲା ମେମୁ ଏବଂ ଟିଟିଲାଗଡ଼ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍ ଭଳି ଜନପ୍ରିୟ ଟ୍ରେନ୍‌ଗୁଡ଼ିକୁ ହଠାତ ବାତିଲ କରାଯାଉଥିବାରୁ ସାଧାରଣ ଯାତ୍ରୀ ଓ ନୁଆଖାଇ ପର୍ବ ପାଇଁ ଘରକୁ ଫେରୁଥିବା ଲୋକେ ହଇରାଣ ହେଉଛନ୍ତି। ଟ୍ରେନ ଗୁଡ଼ିକର ଅତ୍ୟଧିକ ବିଳମ୍ବ, ୧ ନମ୍ବର ପ୍ଲାଟଫର୍ମରେ ସେଡ୍ ସମ୍ପ୍ରସାରଣ ଏବଂ ଅଟୋ ପାର୍କିଂ ପାଇଁ ସ୍ଥାୟୀ ପାଇଁ ସ୍ଥାୟୀ ସ୍ଥାନ ଚିହ୍ନଟ କରିବାକୁ ପୂର୍ବତନ ବିଧାୟିକାଙ୍କ ପକ୍ଷରୁ ଜେନେରାଲ ମ୍ୟାନେଜରଙ୍କୁ ଚିଠି ମାଧ୍ୟମରେ ନିବେଦନ କରାଯାଇଛି।ଜେନେରାଲ ମ୍ୟାନେଜର ଙ୍କୁ ଏହି ଚିଠି ପ୍ରଦାନ ସମୟ ରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଜିଲ୍ଲା ଓକିଲ ସଂଘ ସଭାପତି ରଘୁମଣି ପଟେଲ, ରବି ସିଂ, ସନ୍ଦୀପ ଅବସ୍ତି, ମ୍ୟୁନିସପାଲିଟି ଅଧ୍ୟକ୍ଷା ରାନି ହାତୀ, ଆଲୋକ ତ୍ରିପାଠୀ, ପିଣ୍ଟୁ ପାଢୀ, ଅଶୋକ ଦାସ, ଶଶୀ ତିୱାରି , ତୁଲସୀ ଦାସ ,ପବନ ଶର୍ମା, ରମନ୍ନା ରାଓ , ନାଗେଶ୍ଵରୀ ବୋନେଲା, ନବନୀତ କୌର, ଦୀପା ନାଏକ, ଜ୍ୟୋତି ସୁନା ଙ୍କ ସହିତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.