ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ବିଜେପି ନେତା ଓ କର୍ମୀଙ୍କ ପୂଜାର୍ଚ୍ଚନା
ଝାରସୁଗୁଡ଼ା, ୧୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗୁରୁବାର ଝାରସୁଗୁଡ଼ାସ୍ଥିତ ପ୍ରସିଦ୍ଧ ଝାଡ଼େଶ୍ୱର ମହାଦେବ ମନ୍ଦିରରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଥିଲା। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବିଜେପିର ବହୁ ନେତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ଶହ ଶହ ଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ପ୍ରଭୁ ଝାଡ଼େଶ୍ୱରଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ନିରନ୍ତର ବିକାଶ ଓ ରାଷ୍ଟ୍ର ନିର୍ମାଣ ପଥରେ ଆଗେଇ ଚାଲିଛି। ପ୍ରଭୁ ଝାଡ଼େଶ୍ୱରଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ସଦାସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇ ଚାଲନ୍ତୁ ବୋଲି ସେ ପ୍ରାର୍ଥନା କରିଥିଲେ।
କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସା, ଯୋଶୀଲା ମାଝୀ, ବିବେକ ଶ୍ରୀବାସ, ଦେବବ୍ରତ ପାଣ୍ଡେ, ହରିଶ ପାଣ୍ଡେଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।