ବିଭିନ୍ନ ସାହି ଓ ଶିକ୍ଷାନୁଷ୍ଠାନରେ ଆକର୍ଷଣୀୟ ମୂର୍ତ୍ତି ମନ ମୋହୁଛି,
ଓଡ଼ଗାଁ, ୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓ ଏନ୍ଏସି ଅଞ୍ଚଳର ବିଭିନ୍ନ ଗାଁ, ସାହି, ଶିକ୍ଷାନୁଷ୍ଠାନ ଓ ମାନଙ୍କରେ ସୋମବାର ଅଗ୍ରପୂଜ୍ୟ ଗଣନାଥ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଓଡ଼ଗାଁ ଗଣେଶ ବଜାରସ୍ଥିତ ଗଣେଶ ମନ୍ଦିର ଏବଂ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ବେଢ଼ା ପ୍ରଭୁ ଗଜାନନଙ୍କ ନିକଟରେ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଏହିପରି ରଘୁନାଥ ସମବାୟ ମହାବିଦ୍ୟାଳୟ ସହିତ ରଘୁନାଥ ଷ୍ଟଡି କେୟାରରେ ବିଧିମତେ ପୁଜାର୍ଚନା ସମୟରେ ହୋମାଗ୍ନୀ ମଧ୍ୟରେ ପତୀତପାବନ ଓ ଆଶିର୍ବାଦ ମୁଦ୍ରା ଛାତ୍ରଛାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ରଘୁନାଥ ବିଦ୍ୟାପୀଠ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର, ନନ୍ଦିଘୋର ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, କୁରାଳ ହାଇସ୍କୁଲ, ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, ସାକେରୀ ରାହାସ ବିଦ୍ୟାପୀଠ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଛି। ଓଡ଼ଗାଁ ମନ୍ଦିର ନିକଟ ପାଇକସାହିରେ ଅନୁଷ୍ଠିତ ପୂଜାରେ ବିଘ୍ନରାଜ ଶ୍ରୀ ଗଣେଶଙ୍କ ଦେବଙ୍କ ଦଶାବତାର ରୁପ ମୂର୍ତ୍ତି ମନମୋହି ନେଇଥିଲା। ସେହିପରି ରଙ୍ଗଣୀପାଟଣା ବଡ଼ସାହିର ରାଧାକାନ୍ତ ଯୁବକ ସଂଘ ଓ ତୋଟାସାହିର ଅରବିନ୍ଦ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ବେଶ୍ ଆକର୍ଷଣୀୟ ହୋଇଥିଲା। ଆଜିର ପାଗ ଅନୁକୂଳ ରହିଥିବାରୁ ଓଡ଼ଗାଁ ଅଞ୍ଚଳରେ ଚଳିତବର୍ଷ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଗଣେଶ ପୂଜା ମେଢ଼ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ବିଘ୍ନବିନାଶକଙ୍କ ଦର୍ଶନ ପାଇଁ ବିଭିନ୍ନ ମେଢ଼ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓଡ଼ଗାଁକୁ ଅଧିକ ଚଳଚଞ୍ଚଳ କରିଦେଇଛି।