ମାନସ ନାୟକଙ୍କୁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ୨୦୨୬ ପ୍ରଦାନ

48


ଭୁବନେଶ୍ୱର, ସେପ୍ଟେମ୍ବର ୧୪, ୨୦୨୬: ୨୦୨୬ ମସିହା ପାଇଁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ଏନ୍‌ଆଇଟି ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ଛାତ୍ର ଶ୍ରୀ ମାନସ ନାୟକ ଙ୍କୁ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ଅନୁଷ୍ଠାନର ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମାବର୍ତ୍ତନ ଉତ୍ସବରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦୀକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଇମ୍ଫା ର ପ୍ରତିଷ୍ଠାତା ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ୨୦୧୯ ମସିହାରେ ଏହି ଗୋଲ୍ଡ ମେଡାଲ୍ ପ୍ରତିଷ୍ଠା କରାଯାଇଥିଲା। ପ୍ରତିବର୍ଷ ଏନ୍‌ଆଇଟି ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ କ୍ଷେତ୍ରରେ ବି.ଟେକ୍‌ ପାଠ୍ୟକ୍ରମରେ ବ୍ୟାଚ୍‌ର ଶୀର୍ଷସ୍ଥାନ ହାସଲ କରୁଥିବା ଛାତ୍ରଙ୍କୁ ଏହି ପଦକ ପ୍ରଦାନ କରାଯାଇଥାଏ।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ମିଶିଗାନ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିରେ ଶିକ୍ଷାଲାଭ କରିଥିବା ଡ. ପଣ୍ଡା ଜୀବନବ୍ୟାପୀ ବୈଷୟିକ ଶିକ୍ଷା ଓ ଅନୁଷ୍ଠାନ ଗଠନ ପ୍ରତି ପ୍ରତିବଦ୍ଧ ଥିଲେ। ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଏନ୍‌ଆଇଟି ରାଉରକେଲାର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଶିଳ୍ପ କ୍ଷେତ୍ର ଓ ଓଡ଼ିଶାର ଧାତୁବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏନ୍‌ଆଇଟି ରାଉରକେଲା ୨୦୧୫ ମସିହାରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲା। ଧାତୁବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ଏବଂ ଭବିଷ୍ୟତ ପିଢ଼ିର ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଇବା ଦିଗରେ ଡ. ପଣ୍ଡାଙ୍କ ପ୍ରତିବଦ୍ଧତାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଇମ୍ଫାର ଏହି ସ୍ଥାୟୀ ପାଣ୍ଠି ଗଠନ କରିଥିଲା।
ଶ୍ରୀ ମାନସ ନାୟକଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ଇମ୍ଫାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଶତପଥୀ କହିଛନ୍ତି, “ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍ ଧାତୁବିଜ୍ଞାନ ଓ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ କ୍ଷେତ୍ରରେ ଶିକ୍ଷାଗତ ଉତ୍କର୍ଷତାକୁ ସମ୍ମାନିତ କରିବା ସହିତ ଯୁବ ଇଞ୍ଜିନିୟରମାନଙ୍କୁ ଉଦ୍ଦେଶ୍ୟପୂର୍ଣ୍ଣ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରୋତ୍ସାହିତ କରେ। ଏନ୍‌ଆଇଟି ରାଉରକେଲାରେ ଡ. ପଣ୍ଡାଙ୍କ ଅବଦାନ ଓ ଐତିହ୍ୟକୁ ସମ୍ମାନିତ କରିବା ଆମ ପାଇଁ ବିଶେଷ ଅର୍ଥବହ, କାରଣ ଏହି ଅନୁଷ୍ଠାନ ସହିତ ଇମ୍ଫା ର ଦୀର୍ଘଦିନର ଏବଂ ମୂଲ୍ୟବାନ ସମ୍ପର୍କ ରହିଛି। ଆମେ ଶ୍ରୀ ମାନସ ନାୟକଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛୁ।”

Leave A Reply

Your email address will not be published.