“ଶିକ୍ଷା ସହ ଚରିତ୍ର ଗଠନ ହିଁ ସଫଳତାର ମୂଳମନ୍ତ୍ର”
ବଲାଙ୍ଗୀର/ପୁଇଁତଲା,ତା.୧୩/୦୯/୨୦୨୬:ପୁଇଁତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି),ମହିମୁଣ୍ଡାରେ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିମୁଣ୍ଡା ସରପଞ୍ଚ ରଞ୍ଜିତା ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ବିଦ୍ୟାଳୟ କେବଳ ପାଠପଢ଼ାର ସ୍ଥାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଏକ ପବିତ୍ର ମନ୍ଦିର।ଶିକ୍ଷା ସହିତ ଶୃଙ୍ଖଳା,ମାନବିକତା ଓ ଚରିତ୍ର ଗଠନକୁ ଗୁରୁତ୍ୱ ଦେଲେ ଛାତ୍ରଛାତ୍ରୀ ଜୀବନରେ ନିଶ୍ଚୟ ସଫଳ ହେବେ ବୋଲି କହିଥିଲେ।
ସମ୍ମାନୀତ ଅତିଥି ଶ୍ରୀମତୀ ଭୋଇ ନିଜ ବକ୍ତବ୍ୟରେ ମହିମୁଣ୍ଡା ଓଏଭି ଆମ ଅଞ୍ଚଳର ଗର୍ବ।ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଭବିଷ୍ୟତରେ ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ ଏହା ହିଁ ଆମର ଆଶା ବୋଲି କହିଥିଲେ।ସଭାପତି ଶ୍ରୀ ଖଟୁଆ ବିଦ୍ୟାଳୟର ୧୨ ବର୍ଷର ଯାତ୍ରା ଓ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରି କହିଥିଲେ, ବିଦ୍ୟାଳୟର ଏହି ଯାତ୍ରାରେ ଶିକ୍ଷକ,ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମ୍ମିଳିତ ପ୍ରୟାସ ହିଁ ଆମର ସବୁଠାରୁ ବଡ଼ ଶକ୍ତି।ଆଗାମୀ ଦିନରେ ଓଏଭି ମହିମୁଣ୍ଡାକୁ ଆହୁରି ଉଚ୍ଚତାକୁ ନେବା ପାଇଁ ସମସ୍ତେ ଏକାଠି କାମ କରିବା।ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ଦ୍ବୟ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟତ୍ରୀ ପ୍ରତ୍ୟାଶା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ,ଅଭିଭାବକ ଓ ଛାତ୍ରଛାତ୍ରୀ ସକ୍ରୀୟ ସହଯୋଗ କରିଥିଲେ।