ସେପ୍ଟେମ୍ବର ୧୭ରୁ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ

10


ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

ଝାରସୁଗୁଡ଼ା, ୧୨/୯: ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ନେଇ ଶନିବାର ଝାରସୁଗୁଡ଼ା ସହରସ୍ଥିତ ସର୍କିଟ୍ ହାଉସ୍‌ରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ଯୋଗଦେଇ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସଫଳ ରୂପାୟନ ପାଇଁ ଆବଶ୍ୟକ ଦିଗ୍‌ଦର୍ଶନ ଦେଇଥିଲେ।

ଅଭିଯାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ ସହ ତାଙ୍କ ଦୀର୍ଘାୟୁ କାମନା କରି ଘରେ ଘରେ ଦୀପ ପ୍ରଜ୍ଜ୍ୱଳନ କରାଯିବ। ଏହାସହ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ, କ୍ୟାରିୟର କାଉନସେଲିଂ, ‘ଫିଟ୍ ଇଣ୍ଡିଆ’ ଖେଳ ମହୋତ୍ସବ ଏବଂ ବିଭିନ୍ନ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ।

ସେହିପରି ବୃଦ୍ଧାଶ୍ରମ ପରିଦର୍ଶନ, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଅଭିଯାନ ଓ ମହିଳା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଏଥିସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଲକ, ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ଅଭିଯାନକୁ ବ୍ୟାପକ ଭାବେ ଆୟୋଜନ କରିବାକୁ ମନ୍ତ୍ରୀ ମହାଳିଙ୍ଗ ଓ ବିଧାୟକ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଝାରସୁଗୁଡ଼ା ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳଙ୍କ ସମେତ ଅରବିନ୍ଦ ପାଠକ, ରାଜେଶ ଦାସ, ଉଦ୍ଧବ ସିଂହ ନାଏକ, ହେମରଞ୍ଜନ ସିଂହ, କୁଲମଣି କିଷାନ, ପ୍ରେମଚସେନ ରାୟ, ନେତାଜୀ ପଟ୍ଟନାୟକ, ଉପସଭାପତି ସଂଯୁକ୍ତା ଓରାମଙ୍କ ସମେତ ବିଜେପିର ବିଭିନ୍ନ ମଣ୍ଡଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.