ପୌରାଧ୍ୟକ୍ଷା ରାନୀ ହାତୀଙ୍କୁ ୧୦ ପ୍ରଶ୍ନ, ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡ଼ା : ଝାରସୁଗୁଡ଼ା ପୌରପାଳିକାରେ କଥିତ ଆର୍ଥିକ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗକୁ ନେଇ ବିଜେପି ପକ୍ଷରୁ ପୌରପାଳିକାର ସ୍ୱଚ୍ଛତା ଓ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଯାଇଛି। ଏନେଇ ଝାରସୁଗୁଡ଼ା ଟାଉନ ମଣ୍ଡଳ ବିଜେପି ସଭାପତି ବିମଳେନ୍ଦୁ ଭୋଳ ପୌରାଧ୍ୟକ୍ଷା ରାନୀ ହାତୀଙ୍କୁ ସାର୍ବଜନୀନ ଭାବେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି।
ଗୁରୁବାର ଏକ ପ୍ରେସ ବିବୃତି ଜରିଆରେ ଶ୍ରୀ ଭୋଳ ପୌରପାଳିକା ସମ୍ପର୍କିତ ଏଫ୍ଆଇଆର୍, ହାଇକୋର୍ଟ ରେକର୍ଡ ଓ ଭିଜିଲାନ୍ସ ନୋଟିସ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ମସିହାରେ କୌଣସି ଅନୁମୋଦନ ବିନା ତିନୋଟି କିସ୍ତିରେ ୫୧.୮୯ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ଏହି ଘଟଣାକୁ ନେଇ ଆଇପିସିର ୪୨୦, ୪୬୫ ଓ ୪୬୮ ଭଳି ଦଫାରେ ମାମଲା ରୁଜୁ ହୋଇଥିବା ସେ ଦାବି କରିଛନ୍ତି।
ସେହିପରି ମଶା ତେଲ କ୍ରୟ ସମ୍ପର୍କିତ ଅନିୟମିତତାରେ ୬୧.୪୪ ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ କ୍ଷତି ହୋଇଥିବା ଏବଂ ସମ୍ପ୍ରତି ପ୍ରାୟ ୪୦ ଲକ୍ଷ ଟଙ୍କାର ସରକାରୀ ଅର୍ଥର କଥିତ ଅପବ୍ୟବହାର ନେଇ ଭିଜିଲାନ୍ସ ନୋଟିସ୍ ଆସିଥିବା ଶ୍ରୀ ଭୋଳ ଅଭିଯୋଗ କରିଛନ୍ତି। ଏହି ଘଟଣାଗୁଡ଼ିକ ପୌରପାଳିକାର ଆର୍ଥିକ ପରିଚାଳନା ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଥିବା ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ପୌରାଧ୍ୟକ୍ଷାଙ୍କୁ ୧୦ଟି ପ୍ରଶ୍ନ ପଚରାଯାଇଛି। ୫୧.୮୯ ଲକ୍ଷ ଟଙ୍କା ଟ୍ରାନ୍ସଫର ସମ୍ପର୍କରେ ପୌରାଧ୍ୟକ୍ଷା ଅବଗତ ଥିଲେ କି, ଆର୍ଥିକ ନିୟନ୍ତ୍ରଣ ବ୍ୟବସ୍ଥା ଏହାକୁ ରୋକିବାରେ କାହିଁକି ବିଫଳ ହେଲା, ଜାଲ୍ ଆର୍ଟିଜିଏସ୍ ଡକ୍ୟୁମେଣ୍ଟ କିଏ ଅନୁମୋଦନ କରିଥିଲା ଏବଂ ମଶା ତେଲ କ୍ରୟର ଦରଦାମ ସମ୍ପର୍କରେ ହାଇକୋର୍ଟରେ ଉଠିଥିବା ଅଭିଯୋଗ ଉପରେ ତାଙ୍କ ମତ କ’ଣ ବୋଲି ପ୍ରଶ୍ନ କରାଯାଇଛି।
ଏହାଛଡ଼ା ପର୍ଚେଜ୍ କମିଟି ସଦସ୍ୟ ଭାବେ ପୌରାଧ୍ୟକ୍ଷାଙ୍କ ଭୂମିକା କ’ଣ ଥିଲା, ଭିଜିଲାନ୍ସ ତଦନ୍ତ ପରିସରରେ ଥିବା ୪୦ ଲକ୍ଷ ଟଙ୍କା କେଉଁ କାମରେ ଖର୍ଚ୍ଚ ହୋଇଥିଲା, ଆଭ୍ୟନ୍ତରୀଣ ଅଡିଟ୍ ପାଇଁ କେବେ ଦାବି କରାଯାଇଥିଲା କି, ଟଙ୍କା ଟ୍ରାନ୍ସଫର ପାଇଁ କେଉଁ ଅଧିକାରୀଙ୍କ ଅନୁମୋଦନ ଥିଲା, ଭିଜିଲାନ୍ସକୁ ସମସ୍ତ ରେକର୍ଡ ଓ ଷ୍ଟେଟମେଣ୍ଟ ଦିଆଯାଇଛି କି ଏବଂ ପୌରପାଳିକାର ସମସ୍ତ ଅଡିଟ୍ ରିପୋର୍ଟ ସାର୍ବଜନୀନ କରିବାକୁ ସେ ପ୍ରସ୍ତୁତ କି ବୋଲି ବିଜେପି ପ୍ରଶ୍ନ କରିଛି।
ବିମଳେନ୍ଦୁ ଭୋଳ କହିଛନ୍ତି ଯେ, ଏହା କୌଣସି ରାଜନୈତିକ ପ୍ରତିଶୋଧର ବିଷୟ ନୁହେଁ। ଝାରସୁଗୁଡ଼ାବାସୀଙ୍କ କଷ୍ଟାର୍ଜିତ ଅର୍ଥର ସୁରକ୍ଷା ଓ ପୌରପାଳିକାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସତ୍ୟ ସାମ୍ନାକୁ ଆସିବା ଆବଶ୍ୟକ। ଏଥିପାଇଁ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଏହି ପ୍ରେସ ବିବୃତି ସମ୍ପର୍କରେ ପୌରାଧ୍ୟକ୍ଷା ରାନୀ ହାତୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।