ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଠିକାଦାରଙ୍କ ବିଲ ଟଙ୍କା ହଡ଼ପ କରିନେଲେ
କେନ୍ଦୁଝର, ତା୧୦/୯- କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ରହିଥିଵା ଆଇଟିଡିଏ ଅଫିସ ବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ, କେନ୍ଦୁଝରଙ୍କ କାର୍ଯ୍ୟାଳୟ ନାଆଁରେ ଆସିଛି ସାଂଘାତିକ ଅଭିଯୋଗ। କାର୍ଯ୍ୟାଳୟର ଜଣେ ସହକାରୀ ଯନ୍ତ୍ରୀ
ଠିକାଦାରଙ୍କ ପ୍ରାପ୍ୟ ଟଙ୍କା ଚଳୁ କରିଦେଇ ଠିକାଦାରଙ୍କୁ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଏପରିକି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଠିକାଦାରଙ୍କ ପ୍ରାପ୍ୟ ଦେଉନାହାନ୍ତି ଏଵଂ ଠିକାଦାର ସେହି ସମ୍ବନ୍ଧରେ ସୂଚନା ଅଧିକାର ଆଇନ ବଳରେ କୌଣସି ସୂଚନା ମାଗିଲେ, କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଉନାହିଁ। ୨୦୨୪ ମସିହାରେ ଜିଲ୍ଲାର ପାଟଣା ବ୍ଲକ ସମେତ ୫ ଟି ବ୍ଲକ ଦାୟୀତ୍ୱରେ ଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଅଵସର ପରେ ଏହି ବିବାଦର ସୂତ୍ରପାତ ହୋଇଛି। ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳର ଅନିଲ କୁମାର ସାହୁ ନାମକ ଠିକାଦାର ଅଭିଯୋଗ କରିଛନ୍ତି ଯେ, ସେ ପାଟଣା ବ୍ଲକ ଅଞ୍ଚଳରେ ଆଇଟିଡିଏର ୧୦ ଲକ୍ଷ ଟଙ୍କା ମୂଲ୍ୟର ବିଭାଗୀୟ ନିର୍ମାଣକାର୍ଯ୍ୟ କରିଛି ଏବଂ ସେହି ଟଙ୍କାରୁ ରାୟାଲଟି କାଟି ୬ ଲକ୍ଷ ୫୦ ହଜାର ଟଙ୍କା ମୋତେ ପ୍ରଦାନ କରାଯିବାର ଥିବାବେଳେ, ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ନାଏକ ସେହି ୬ ଲକ୍ଷ ୫୦ ହଜାର ଟଙ୍କାରୁ ୩ ଲକ୍ଷ ୫୦ ହଜାର ଟଙ୍କା ୱିଥେଲ୍ଡ କରି ରଖିଦେଲେ। ଜିଲ୍ଲାପାଳଙ୍କ ପାଖରେ ଦୁଇଥର ଅଭିଯୋଗ କରିବାପରେ ୨୧ ଫ୍ରେବୃୟାରୀ ୨୦୨୬ ରେ ମାତ୍ର ୨୮ ହଜାର ଟଙ୍କା ମୋତେ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ନାଏକ ଦେଇଥିଲେ ବୋଲି ଅନିଲ କୁମାର ସାହୁ କହିଛନ୍ତି। ବକେୟା ୩ ଲକ୍ଷ ୨୨ ହଜାର ଟଙ୍କା ଆଜିଦେବି କାଲିଦେବି କହି ଦେଇନାହାନ୍ତି ଏଵଂ ଏବେ ଆଦୌ ଦେବେନାହିଁ ବୋଲି କହୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଶ୍ରୀ ସାହୁ ପୁଣି କହିଛନ୍ତି, ବିଭାଗୀୟ କାର୍ଯ୍ୟଗୁଡ଼ିକ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ, ସରକାରଙ୍କ ନିୟମ ଅନୁଯାୟୀ, ବିଭାଗୀୟ କାର୍ଯ୍ୟରେ ଜେଇ ଭେଣ୍ଡରକୁ ପେମେଣ୍ଟ କରନ୍ତି ଏଵଂ ଭେଣ୍ଡର କାମ କରିଥିବା ଠିକାଦାରଙ୍କୁ ପେମେଣ୍ଟ କରିଥାଏ, କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ହୋଇଛି। ସହକାରୀ ଯନ୍ତ୍ରୀ ନିଜ ଫୋନ-ପେ ରୁ ଶ୍ରୀ ସାହୁଙ୍କୁ ଗତ ଫ୍ରେବୃୟାରୀ ୨୧ ତାରିଖରେ ସେହି ୨୮ ହଜାର ଟଙ୍କା ପେମେଣ୍ଟ କରିଛନ୍ତି, ଯାହା ସହକାରୀ ଯନ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିନେଉଛି। ୨୦୨୪ ମସିହାରେ ସେହି ୫ ଟି ବ୍ଲକ ଦାୟୀତ୍ୱରେ ଥିବା ଜେଇ ଅଵସର ନେବାପୁର୍ବରୁ ୫ ଟି ଯାକ ବ୍ଲକରେ ଠିକାଦାରଙ୍କ ଦ୍ଵାରା ଯେତିକି କାମ କରାଇଥିଲେ, ସମସ୍ତଙ୍କ ବିଲ କରିଦେଇ ଅଵସର ନେଲେ, କିନ୍ତୁ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ନାଏକ ବିଲ ପେମେଣ୍ଟ ସମୟରେ ଠିକାଦାରଙ୍କୁ ପ୍ରଦାନ କରାଯିବାକୁ ଥିବା ବିଲ ରାଶିର କିଛି ରାଶି କାଟି ୱିଥେଲ୍ଡ କରି ରଖିଦେଲେ। ଜେଇ ଅଵସର ନେଇସାରିଥିବା କାରାଣରୁ ସହକାରୀ ଯନ୍ତ୍ରୀ କାହାକୁ ପେମେଣ୍ଟ କଲେ ଏବଂ କାହାକୁ କଲେନାହିଁ, ଏପରି ମନମୁଖୀ ଢ଼ଙ୍ଗରେ କାର୍ଯ୍ଯ ଚଲାଇଲେ। ଏ ସମ୍ବନ୍ଧରେ ଶ୍ରୀ ସାହୁ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଗଲା ନାହିଁ। ଶ୍ରୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ଭବତ ୫ ଟି ଯାକ ବ୍ଲକ ଠିକାଦାର ମାନଙ୍କ ୱିଥେଲ୍ଡ ଅର୍ଥରାଶି ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ନାଏକ ହଡପ କରିନେଇଛନ୍ତି। ଏଭଳି ସ୍ପର୍ଶକାତର ଓ ଅଭାବନୀୟ ଘଟଣାର ତଦନ୍ତ ପାଇଁ ଜିଲ୍ଲାର ବୁଦ୍ଧିଜୀବି ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା ହୋଇଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜଣେ ସହକାରୀ ଯନ୍ତ୍ରୀଙ୍କ ଏଭଳି ବେଆଇନ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।