ବୁଢ଼ାବୁଢ଼ିଆଣୀ ଡାକ ବଙ୍ଗଳାରେ ଓଡ଼ଗାଁ ବ୍ଲକର ତ୍ରୟୋଦଶ ସାଧାରଣ ଅଧିବେଶନ

11


ଦଳୀୟ ମତଭେଦ ଭୁଲି ଗାଁର ବିକାଶରେ ଧ୍ୟାନ ଦିଅନ୍ତୁ: ବାଚସ୍ପତି


ଓଡ଼ଗାଁ, ୯।୯(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ତ୍ରୟୋଦଶ ସାଧାରଣ ଅଧିବେଶନ ବୁଧବାର ଅପରାହ୍ନରେ ଏହି ବ୍ଲକର ପ୍ରମୁଖ ପ୍ରାକୃତିକ କ୍ଷେତ୍ର ବୁଢ଼ାବୁଢ଼ିଆଣୀ ଡ଼୍ୟାମ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରଣପୁର ବିଧାୟିକା ତଥା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଦଳୀୟ ମତଭେଦରୁ ଊର୍ଦ୍ଧ୍ୱରେ ରହି ଗାଁର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଜନପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ସଙ୍କଳ୍ପ ସଫଳ ହୋଇପାରିବ ବୋଲି ସେ କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ ଆରମ୍ଭ ହୋଇନଥିବା ପ୍ରକଳ୍ପଗୁଡ଼ିକର କାମ ତୁରନ୍ତ ଆରମ୍ଭ କରିବା ସହ ନିର୍ମାଣାଧୀନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ।


ଭିବିଜି ରାମଜୀ ଯୋଜନାରେ ରାସ୍ତାଘାଟ ଓ ଖେଳପଡ଼ିଆ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଥିଲା। ମନରେଗା ଯୋଜନାରେ ମୋଟ ୪,୪୬୪ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୩୭୨ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର କାମ ଧାର୍ଯ୍ୟ ସମୟରେ ସାରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତି ପଞ୍ଚାୟତରେ ୭୦୦ଶହ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୧ଟି ପଞ୍ଚାୟତ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ନେଇ ସଭାରେ ଆଲୋଚନା ହୋଇଥିଲା। ଅନ୍ତୋଦୟ ଗୃହ ଯୋଜନାରେ ଜବ୍‌ କାର୍ଡ ବ୍ୟବହାର କରି ହିତାଧିକାରୀଙ୍କୁ ଶ୍ରମଦାନ ବାବଦରେ ଅର୍ଥ ପ୍ରଦାନ ପାଇଁ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରସ୍ତାବ ରଖିଥିଲେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ବାଚସ୍ପତି କହିଥିଲେ। ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଥିବା ୨୩୦ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୪୨ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୩୦ଟି କେନ୍ଦ୍ର ନିର୍ମାଣାଧୀନ ରହିଛି। ଅନ୍ୟ ୫୮ଟି କେନ୍ଦ୍ରରେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନଥିବା ନେଇ ଆଲୋଚନା ହୋଇଥିଲା। ଏହାଛଡ଼ା ମେଗା ପାନୀୟଜଳ ଯୋଗାଣ, ବିଦ୍ୟୁତ୍‌ ସମସ୍ୟା ଓ ସ୍ମାର୍ଟ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବିଡିଓ ପ୍ରୀତିବାଳା ରଣାଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
ସଭାକାର୍ଯ୍ୟ ଶେଷ ହେବା ପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାଲିଆଡିହି ଓ ଗୋଲଗାଁ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ ମୁନେଶ ପ୍ରଧାନଙ୍କ ସ୍ମୃତିରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.