ମାଲକାନଗିରି ରେ ମ୍ୟାଲେରିଆ ଚିନ୍ତା : ନିୟନ୍ତ୍ରଣ ଓ ସମୀକ୍ଷା ପାଇଁ ପହଞ୍ଚିଲେ ରାଜ୍ୟ ସ୍ତରୀୟ ଟିମ ।

7

ମାଲକାନଗିରି, ତା ୦୯/୦୯ (ସୁରେନ୍ଦ୍ର କୁମାର ବେମାଳ ): ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ବଢିବା ଘଟଣାକୁ ନେଇ ଦୈନିକ ଖବର କାଗଜରେ ବାରମ୍ବାର ଖବର ପରିବେଷଣ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପର ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ରାଜ୍ୟସ୍ତରୀୟ ବିଶେଷଜ୍ଞ ଦଳ ଚାରିଦିନିଆ ଗସ୍ତରେ ମାଲକାନଗିରିରେ ପହଞ୍ଚିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପ୍ରଭାବ ଓ ବାସ୍ତବ ସ୍ଥିତିର ସମୀକ୍ଷା ପାଇଁ ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରୁଛି। ଏଣ୍ଟମୋଲୋଜି ବିଶେଷଜ୍ଞ ଡ. ସ୍ୱାତୀ କୁମାରୀ ଓ ଟ୍ରେନିଂ କନସଲ୍ଟାଣ୍ଟ ଅନୁପ କୁମାର ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ଦଳରେ ସାମିଲ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ଟିମ୍ ମାଥିଲି ବ୍ଲକର କିଆଙ୍ଗ ଓ କର୍ତ୍ତନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଗ୍ରାମଗୁଡ଼ିକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ମ୍ୟାଲେରିଆ ପ୍ରତିରୋଧ, ସଚେତନତା ଏବଂ ଚିକିତ୍ସା ସେବାର ଉପଲବ୍ଧତା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ଜୁଲାଇ ମାସ ତୁଳନାରେ ବର୍ତ୍ତମାନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ କମିଛି। ରାଜ୍ୟସ୍ତରୀୟ ଟିମ୍‌ର ଅନୁଧ୍ୟାନ ରିପୋର୍ଟ ଆଧାରରେ ଆଗାମୀ ଦିନରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.