ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର,

8


ହତ୍ୟା ଉଦ୍ୟମ ଅଭିଯୋଗରେ ଜ୍ୱାଇଁ ଗିରଫ, ଜେଲ୍ ହାଜତ,


ଓଡ଼ଗାଁ, ୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ନିକଟସ୍ଥ ସୁନାମୁହିଁ ପଞ୍ଚାୟତ ମାଳିଆଝୋଲା ଗ୍ରାମରେ ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର ଆହତ ହୋଇଛନ୍ତି। ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ଅଭିଯୁକ୍ତ ଜ୍ୱାଇଁ ତପନ ନାୟକ (୨୬)ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୁଲିସ ସୂଚନା ଅନୁସାରେ, ମାଳିଆଝୋଲା ଗ୍ରାମର ବିପ୍ରଚରଣ ନାୟକ (୫୭)ଙ୍କ ସାନ ଝିଅ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମର ତପନ ନାୟକଙ୍କୁ ବିବାହ କରିଥିଲେ। ତପନ ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ରହିଥିବା ବେଳେ ଶାଶୁଘରେ ସୁରକ୍ଷା ନମିଳିବାରୁ ସେ ପ୍ରାୟ ୪ ମାସ ହେଲା ବାପଘରେ ରହୁଥିଲେ। ତପନ ବାରମ୍ବାର ଡାକିଥିଲେ ମଧ୍ୟ ସେ ସ୍ୱାମୀଙ୍କ ସହ ଯାଇନଥିଲେ। ଗତ ଅଗଷ୍ଟ ୨୯ ତାରିଖ ରାତି ପ୍ରାୟ ୯ଟା ସମୟରେ ବିପ୍ରଚରଣ ଗାଁ ଦୋକାନରୁ ରାସନ ସାମଗ୍ରୀ କିଣୁଥିବା ବେଳେ ତପନ ସେଠାରେ ପହଞ୍ଚିଥିଲେ। ତାଙ୍କ ହାତରେ ଥିବା ମାଛ କଟା ପନିକିରେ ବିପ୍ରଚରଣଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ମାରିଥିଲେ। ବିପ୍ରଚରଣ ବୁଲିପଡ଼ିବାରୁ ଚୋଟଟି ବାମ କାନମୁଣ୍ଡାରୁ ଗାଲ ପର୍ଯ୍ୟନ୍ତ ଲାଗିଥିଲା। ଗୁରୁତର ଆହତ ବିପ୍ରଚରଣଙ୍କୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ପରେ ପୁଲିସ ୩୧୪/୨୬ ନମ୍ବରରେ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଓଡ଼ଗାଁ ଥାନା ଏସ୍‌ଆଇ ଚକ୍ରଧର ସିଂ ଅଭିଯୁକ୍ତ ତପନଙ୍କ ଫୋନ୍‌ ଟ୍ରାକ୍ କରି ଭଞ୍ଜନଗର ଥାନା ପୁଲିସର ସହଯୋଗରେ ରାଜକୁଣ୍ଡ ଗ୍ରାମରୁ ତାଙ୍କୁ ଗିରଫ କରିଥିଲେ। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.