ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି।
ପଦ୍ମପୁର: ପଦ୍ମପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଯୋଗେଶ୍ୱର ସାହୁଙ୍କ ବିରୋଧରେ ଜଣେ ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ଅସୌଜନ୍ୟମୂଳକ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ଗ୍ରାହକ ସେବାରେ ଅବହେଳା କରାଯାଇଥିବା ନେଇ ମଧ୍ୟ ଅଭିଯୋଗକାରୀ ଦର୍ଶାଇଛନ୍ତି।
ଏ ନେଇ ପଦ୍ମପୁରର ଗ୍ରାହକ ତଥା ସାମ୍ବାଦିକ ପ୍ରଦୀପ୍ତ କିଶୋର ଦାଶ ସମ୍ବଲପୁର ଜିଲ୍ଲା ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବରଗଡ଼ ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ସମବାୟ ବ୍ୟାଙ୍କର ସଭାପତି ଓ ବରଗଡ଼ ଜିଲ୍ଲା ନିବନ୍ଧକଙ୍କୁ ମଧ୍ୟ ଅବଗତ କରାଇଛନ୍ତି।
ଅଭିଯୋଗ ଅନୁସାରେ, ଦାଶ ପ୍ରାୟ ୩୦ ବର୍ଷ ହେଲା ଉକ୍ତ ବ୍ୟାଙ୍କର ନିୟମିତ ଗ୍ରାହକ। ଗତ ୭ ତାରିଖରେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟରେ ସେ ଶାଖାକୁ ଯାଇଥିଲେ। ଏହି ସମୟରେ ଶାଖା ପରିଚାଳକ ତାଙ୍କ ସହ ଅସୌଜନ୍ୟମୂଳକ ଓ ଅପମାନଜନକ ବ୍ୟବହାର କରିଥିବା ଦାଶ ଅଭିଯୋଗ କରିଛନ୍ତି।
ବ୍ୟାଙ୍କ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକ ତଥ୍ୟ ନଦେଇ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରାଯାଇଥିବା ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ପରିଚାଳକ ବ୍ୟାଙ୍କ ଛାଡ଼ି ଚାଲିଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଫଳରେ ତାଙ୍କୁ ମାନସିକ ଯନ୍ତ୍ରଣା ସହ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ସେ କହିଛନ୍ତି।
ଶାଖାରେ ଅନ୍ୟ ଗ୍ରାହକମାନଙ୍କୁ ମଧ୍ୟ ଠିକ୍ ଭାବେ ସେବା ମିଳୁନଥିବା ଏବଂ ବ୍ୟାଙ୍କର ନିୟମ ଓ ସେବା ମାନଦଣ୍ଡର ଠିକ୍ ଭାବେ ଅନୁପାଳନ କରାଯାଉନଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି।
ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାଶ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ଶାଖା ପରିଚାଳକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।