ଭୋଟର ତାଲିକା ଜାଲିଆତି ଅଭିଯୋଗ: ବିଜେଡିର ବିଶାଳ ପ୍ରତିବାଦ ଶୋଭାଯାତ୍ରା

20


ଝାରସୁଗୁଡ଼ା, ୮/୯: ଭୋଟର ତାଲିକାରୁ ବୈଧ ଓ ଜୀବିତ ଭୋଟରଙ୍କ ନାମ ହଟାଇବାକୁ ଚେଷ୍ଟା ଏବଂ ଜାଲିଆତି ଅଭିଯୋଗକୁ ନେଇ ମଙ୍ଗଳବାର ଝାରସୁଗୁଡ଼ା ସହରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ‘ମୋ ଭୋଟ, ମୋ ଅଧିକାର’ ନାରା ଦେଇ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ପୁରୁଣା ବସ୍‌ଷ୍ଟାଣ୍ଡରୁ ଶୋଭାଯାତ୍ରା ବାହାରି ଝାରସୁଗୁଡ଼ା ଥାନା ପର୍ଯ୍ୟନ୍ତ ଯାଇଥିଲା। ଏହା ପରେ ବିଜେଡି ପକ୍ଷରୁ ଝାରସୁଗୁଡ଼ା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସ୍‌ଡିପିଓ ଉମାଶଙ୍କର ସିଂଙ୍କୁ ପ୍ରଦାନ କରାଯାଇଥିଲା।

ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ସମୟରେ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଜାଲ କାଗଜପତ୍ର, ମିଥ୍ୟା ଅଭିଯୋଗ ଓ ଭୁଲ ତଥ୍ୟ ଦେଇ ବୈଧ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଜଣେ ବ୍ୟକ୍ତି ଗୋଟିଏ ଦିନରେ ସର୍ବାଧିକ ୧୦ଟି ଆପତ୍ତି ଦାଖଲ କରିପାରିବାର ନିୟମ ଥିବା ସତ୍ତ୍ୱେ କେତେକ ସ୍ଥାନରେ ଏହାର ଉଲ୍ଲଂଘନ ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଛି।

ଏଥିସହ କୋଲାବିରା, ବଡ଼ମାଲ ସମେତ ଅନ୍ୟାନ୍ୟ ଥାନାରେ ଏହି ଅଭିଯୋଗ ସମ୍ପର୍କରେ ଏଫ୍‌ଆଇଆର୍‌ ଦେବାକୁ ଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରିବାରେ ଆପତ୍ତି କରୁଥିବା ବିଜେଡି ଅଭିଯୋଗ କରିଛି। ପ୍ରଜା ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ମିଥ୍ୟା ଆବେଦନକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଶୋଭାଯାତ୍ରା ସମୟରେ ‘ମୋ ଭୋଟ, ମୋ ଅଧିକାର’ ସମେତ ବିଭିନ୍ନ ନାରା ଦେଇ ବିଜେଡି କର୍ମୀମାନେ ଭୋଟଦାନ ଅଧିକାରର ସୁରକ୍ଷା ଦାବି କରିଥିଲେ। ନାଗରିକଙ୍କ ଗଣତାନ୍ତ୍ରିକ ଓ ଭୋଟଦାନ ଅଧିକାର ସୁରକ୍ଷିତ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ସମେତ ଦଳୀୟ ନେତାମାନେ ଚେତାବନୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ହରୀଶ ଗଣତ୍ରା, ପିଣ୍ଟୁ ପାଢ଼ୀ, ଅଶୋକ ଦାସ, ଆଲୋକ ତ୍ରିପାଠୀ, ରୁବିନ ପାଣ୍ଡେ, ପବନ ସିଂହ ଯାଦବ, ପବନ ଶର୍ମା, ନବନୀତ କୌର, ବି. ନାଗେଶ୍ୱରୀ, ଦୀପା ନାୟକ, ରୁବିନା ଖାନଙ୍କ ସମେତ ବହୁ ଦଳୀୟ ନେତା, ମହିଳା ଓ ଯୁବ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.