ରାଜ୍ୟର ଆର୍ଥିକ କ୍ଷମତା ସଙ୍କୁଚିତ କରୁୂଥିବା ଏମଏମଡିଆର ଆକ୍ଟ ୨୦୨୬ ର ପ୍ରତ୍ୟାହାର ଦାବୀ କଲା ଓଜେସି
ଭୁବନେଶ୍ୱର (୬/୯/୨୦୨୬) ନିକଟରେ ସଂସଦରେ ପାରିତ ହୋଇଥିବା ଏମଏମଡିଆର ଆକ୍ଟ ୨୦୨୬ ଏବଂ ଏହି ଆଇନର ବିଭିନ୍ନ ପ୍ରାବଧାନ ଯୋଗୁଁ ଓଡ଼ିଶାର ଲକ୍ଷଲକ୍ଷ କୋଟିର ରାଜସ୍ୱ କ୍ଷତିକୁ ନେଇ ରହସ୍ୟମୟ ନିରବତା ଅବଲମ୍ବନ କରୁଥିବା ଡବଲ ଇଂଜିନ ସରକାରର ନିଷ୍ପତି ବିରୁଦ୍ଧରେ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଏକ ବିଶାଳ ପ୍ରତିବାଦ ସଭା ଏବଂ ଅର୍ଥନୈତିକ ଅବରୋଧ ପାଇଁ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତି ନେଇଛି ଓଜେସି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରଶାନ୍ତ ଶତଥୀ ଏ ସର୍ମ୍ପକରେ ସବିଶେଷ ସୂଚନା ଦେଇ କହିଥିଲେ ଯେ, ଏଭଳି ଏକ ରାଜ୍ୟ ସ୍ୱାର୍ଥ ପରିପନ୍ଥୀ କଳା କାନୁନ୍ ଯୋଗୁଁ ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇ କେନ୍ଦ୍ର ପାଖରେ ହାତ ପତାଇବାକୁ ଆଦୌ ଗ୍ରହଣ କରାଯିବ ନାହିଁ । ନୂଆ ଆଇନରେ ଯୋଗକରାଯାଇଥିବା ଧାରା ୯ ଡ଼ି ଦ୍ୱାରା ଓଡ଼ିଶା ତାର ପୁରୁଣା ବକେୟା ରାଶି ଏକ ଲକ୍ଷ କୋଟିରୁ ଅଧିକା ତାକୁ ହରାଇବା ସହିତ କୌଣସି ପ୍ରକାର ଟ୍ୟାକ୍ସ, ସେସ୍ , ରୟାଲଟି ଆଦି ଆଦାୟ କରିପାରିବ ନାହିଁ । ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟର ଆଜି ପର୍ଯ୍ୟନ୍ତ ଥିବା ବିଶେଷ ଅଧିକାର ଏହି ଆଇନ ବଳରେ ଗୋଟିଏ ଝଟକାରେ ଶେଷ କରିଦିଆଗଲା । ସୁପ୍ରିମକୋର୍ଟଙ୍କର ୨୦୨୪ ମସିହାରେ ଆସିଥିବା ରାୟ ପରିପ୍ରେକ୍ଷୀରେ ଓଡ଼ିଶା ଭଳି ରାଜ୍ୟ ଗୁଡିକ ସ୍ୱତନ୍ତ ଭାବରେ ଟ୍ୟକ୍ସ ଆଦାୟ କରିବାର ଅଧିକାର ପାଇବା ସହିତ ପୁରୁଣା ବକେୟା ରାଶିକୁ ୧୨ ବର୍ଷ ଭିତରେ କିସ୍ତି ଆକାରରେ ୧ -୪-୨୦୨୬ ମସିହା ଠାରୁ ପାଇଥାନ୍ତେ । କିନ୍ତୁ ପରିତାପର ବିଷୟ ଏଭଳି କଳା ଆଇନ ଦ୍ୱାରା ଏ ସମସ୍ତ ଟ୍ୟାକ୍ସ ଆଦାୟ କରିବାର ଅଧିକାର ରାଜ୍ୟ ଠାରୁ ଛଡାଇ ନିଆଗଲା । ଗୋଟିଏ ଆଇନ ରାଜ୍ୟର ସମସ୍ତ ଅର୍ଥନୈତିକ ଅଧିକାର ଯଥା, ୧ – ପୁରୁଣା ବକୟା ଟିକସ ଆଦାୟ କରିବା , ୨-ନୂଆ ଟିକସ ବସାଇବା ,୩-ନିଜର ଖଣିଜ ସମ୍ପଦ ଉପରେ ସ୍ୱତନ୍ତ୍ର ଭାବରେ ନିଷ୍ପତି ନେବା ଇତ୍ୟାଦିକୁ ଛଡାଇ ନେଇଗଲା କିନ୍ତୁ ରାଜ୍ୟର ୨୦ଜଣ ବିଜେପି ସାଂସଦ ଲୋକସଭାରେ ଏହା ବିରୁଦ୍ଧରେ ପାଟି ଖୋଲିଲେ ନାହିଁ । ଆଗ ମାଟି, ପଛେ ପାର୍ଟିର ନାରା ଦେଉଥିବା ବିଜେପି ଆଜି ମା, ମାଟିର କ୍ଷତି ହେଉଥିବା କଳା କାନୁନ୍ ବିରୁଦ୍ଧରେ ପ୍ରତିବାଦ କଲାନାହିଁ । ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଯେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପିର ତମାମ ନେତାଗଣ ୨୦୦୪ ମସିହାରେ ବିଜେପି-ବିଜେଡ଼ି ମିଳିତ ସରକାରରେ ଓରିସେଡ଼୍ ଆଇନ୍ ର ସମର୍ଥନରେ ବିଧାନସଭାରେ ନିଜର ମତବ୍ୟକ୍ତ କରିବା ସହିତ ଆଇନକୁ ପାରିତ କରାଇଥିଲେ । ମହାମହିମ ରାଷ୍ଟ୍ରପତି ମହୋଦୟା ସେ ସମୟରେ ବିଧାନସଭାରେ ବିଧାୟିକା ଥିବା ବେଳେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ଟିକସ ବସାଇବାର ସ୍ୱତନ୍ତ୍ର ଅଧିକାର ସପକ୍ଷରେ ମତ ରଖିଥିଲେ ଏବଂ ସମର୍ଥନ କରିଥିଲେ । କିନ୍ତୁ ଆଜି ଉଭୟ ଦେଶର ଓ ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃୃତ କରିଥିବା ବେଳେ ରାଜ୍ୟର ସାର୍ଥ ପାଇଁ ମୁହଁ ନଖୋଲିବା ଅତ୍ୟନ୍ତ କଷ୍ଟ ଦାୟକ ।
ଏହି ସମ୍ବାଦିକ ସମ୍ମିନଳୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ନିକୁଂଜ ପଶାୟତ ,ନଜିବୁର ରହମାନ୍ ଖାନ୍, ଓଜେସି ସେବା ସଙ୍ଗଠନ ଅଧ୍ୟକ୍ଷ ମନୋଜ ଜେନା ଓ କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ସଂଗ୍ରାମ ମାଝୀ ଉପସ୍ଥିତ ଥିଲେ ।