୬,୫୦୦ ଟଙ୍କା ଜରିମାନା ଆଦାୟ, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ ପାଇଁ ସଚେତନତା
ଓଡ଼ଗାଁ, ୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସହରର ସ୍ୱଚ୍ଛତା, ସୁନ୍ଦରୀକରଣ ଓ ସୁସ୍ଥ ପରିବେଶ ରକ୍ଷା ନିମନ୍ତେ ଶନିବାର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଥିଲା। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ସମୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଗ୍ଲାସ, ଚାମଚ, ପଲିଥିନ୍, ଥର୍ମୋପ୍ଲେଟ୍ ଆଦି ନିଷିଦ୍ଧ ସାମଗ୍ରୀର ବ୍ୟବହାର ଓ ବିକ୍ରି ସମ୍ପର୍କରେ ତନଖି କରାଯାଇଥିଲା। ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କଠାରୁ ମୋଟ ୬ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
ଏଥିସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ଓ ବିକ୍ରି ନକରିବା ପାଇଁ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛ ଓ ପ୍ଲାଷ୍ଟିକ୍ମୁକ୍ତ ଓଡ଼ଗାଁ ଗଠନରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।