ପ୍ରେରଣା ଦେବା, ମାର୍ଗଦର୍ଶନ କରିବା ଓ ବୁଝେଇବା ହିଁ ଗୁରୁଙ୍କ ପ୍ରକୃତ କାର୍ଯ୍ୟ – ଧର୍ମେନ୍ଦ୍ର ପ୍ରଧାନ

42

ସମ୍ବଲପୁରରେ ‘ଗୁରୁ ସମ୍ବର୍ଦ୍ଧନା ସମାରୋହ’ରେ ସାଂସଦ

• ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ଓ ସମାଜ ଗଢ଼ୁଥିବା ସମସ୍ତ ଗୁରୁଜନମାନଙ୍କୁ ପ୍ରଣାମ ଜଣାଇଲେ
• ପ୍ରକୃତି ଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବ୍ୟକ୍ତି ଆମର ଗୁରୁ
• ସମ୍ବଲପୁରର ୨ ଲକ୍ଷ ୭୫ ହଜାର ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷକମାନଙ୍କୁ ଆହ୍ୱାନ
• ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣର ଯତ୍ନ ନେବା ସହ ଭବିଷ୍ୟତର ଶିକ୍ଷା ଦେବା ଏବଂ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ପରାମର୍ଶ
• ଏଆଇ ପ୍ରଶ୍ନର ଉତ୍ତର ଦେଇପାରେ, କିନ୍ତୁ ସେହି ଉତ୍ତରକୁ ବୁଝାଇବା ପାଇଁ ଗୁରୁ ହିଁ ଆବଶ୍ୟକ
• ୨୦୩୬ ଓଡ଼ିଶା ଶତାବ୍ଦୀ ପାଳନ ପାଇଁ ସମାଜ ପାଇଁ ସାର୍ଥକ ଭାବେ ବଞ୍ଚିବାର ସଙ୍କଳ୍ପ କରିବା

ସମ୍ବଲପୁର, ୦୫ ସେପ୍ଟେମ୍ବର ୨୦୨୬ – ପ୍ରକୃତି ଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବ୍ୟକ୍ତି ଆମର ଗୁରୁ । କେବଳ ଶିକ୍ଷାନୁଷ୍ଠାନରେ ଥିବା ବ୍ୟକ୍ତି ଶିକ୍ଷକ ନୁହଁନ୍ତି, ଆମକୁ ରିକ୍ସାରେ ନେଉଥିବା ବ୍ୟକ୍ତି କିମ୍ବା ଛୋଟ ବିକାଳି ବି ପ୍ରତି ମୁହୂର୍ତ୍ତରେ ଆମକୁ ଶିକ୍ଷା ଦେଉଛନ୍ତି। ପ୍ରେରଣା ଦେବା, ମାର୍ଗଦର୍ଶନ କରିବା ଓ ବୁଝେଇବା ହିଁ ଗୁରୁଙ୍କ ପ୍ରକୃତ କାର୍ଯ୍ୟ ବୋଲି ପବିତ୍ର ଗୁରୁ ଦିବସ ଅବସରରେ ସମ୍ବଲପୁରରେ ଆୟୋଜିତ ‘ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ’ରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ।

‘ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀ’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମହାନ୍ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ଦେଶ ଓ ସମାଜ ଗଢ଼ୁଥିବା ସମସ୍ତ ଗୁରୁଜନମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇବା ସହ ଉପସ୍ଥିତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେ କହିଛନ୍ତି, ମହାଭାରତରେ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ନଥିଲେ ମହାନ୍ ଯୋଦ୍ଧା ତିଆରି ହୋଇପାରିନଥାନ୍ତେ ଏବଂ ଶ୍ରୀକୃଷ୍ଣ ମାର୍ଗଦର୍ଶକ ନଥିଲେ ମହାଭାରତର ଫଳାଫଳ ଅଲଗା ହୋଇଥାନ୍ତା । ସେହିପରି ପୂଜ୍ୟ ଶଙ୍କରାଚାର୍ଯ୍ୟ ନଥିଲେ ବିଶ୍ୱରେ ସନାତନ ଧର୍ମର ସ୍ଥିତି ଶୋଚନୀୟ ହୋଇଥାନ୍ତା। ସେହିପରି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ସ୍ୱାଧୀନତା ପରବର୍ତ୍ତୀ ଭାରତର ଶିକ୍ଷା ବ୍ୟବସ୍ଥାର ମାର୍ଗ ଦେଖାଇଥିଲେ। ଭାରତ ଆଜି ହଜାରେ ବର୍ଷର ପରାଧୀନତା ଗ୍ଲାନିରୁ ବାହାରି ବିକାଶର ଏକ ଲମ୍ବା ଡେଇଁବାକୁ ପ୍ରସ୍ତୁତ, ଏହି ମହାନ ପରିବର୍ତ୍ତନରେ ଆମ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଗଦେବାକୁ ପଡ଼ିବ।

ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆଧୁନିକ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କମ୍ ସମୟରେ ଅନେକ ପ୍ରଶ୍ନର ଉତ୍ତର ଦେଇପାରେ, କିନ୍ତୁ ସେହି ଉତ୍ତରକୁ ବୁଝିବା ଓ ବୁଝାଇବା ପାଇଁ ଜଣେ ଗୁରୁଙ୍କ ଆବଶ୍ୟକତା ସଦାସର୍ବଦା ରହିବ । ସେ ଆହୁରି କହିଛନ୍ତି, ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଆମେ ପିଲାଙ୍କୁ ଆତ୍ମସ୍ୱାଭିମାନୀ, ସାହସୀ ଓ ନିର୍ଭୟୀ କରିବା । ଏଥିପାଇଁ ଶିକ୍ଷା ସହ ସେମାନଙ୍କ ଦକ୍ଷତାକୁ ବଢ଼ାଇବାକୁ ପଡ଼ିବ। ପିଲାମାନେ ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ ନ ହେବା ପର୍ଯ୍ୟନ୍ତ ଶିକ୍ଷଣ ଫଳାଫଳ ଉପରେ ଧ୍ୟାନ ଦେଇ ଏକ ନୂତନ ସଂସ୍କୃତି ଗଢ଼ିବାକୁ ହେବ ।

ସମ୍ବଲପୁର ଜିଲ୍ଲାର ନବଜାତ ଶିଶୁରୁ ଆରମ୍ଭ କରି ପିଏଚଡି କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ମୋଟ ୨ ଲକ୍ଷ ୭୫ ହଜାର । ତେବେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏହି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକ ହିଁ ଆମର ପ୍ରକୃତ ମେରୁଦଣ୍ଡ । ଏକବିଂଶ ଶତାବ୍ଦୀର ଅର୍ଦ୍ଧାଂଶରେ ଆମେ ଛିଡ଼ା ହୋଇଥିବା ବେଳେ ବର୍ତ୍ତମାନର ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଆମର କର୍ତ୍ତବ୍ୟ। ଆଗାମୀ ୧୦ ବର୍ଷରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରାଯିବ । ୧୫୦ ବର୍ଷ ପୂର୍ବେ ସମ୍ବଲପୁର ଯଦି ନେତୃତ୍ୱ ନେଇନଥାନ୍ତା, ତେବେ ଆଜିର ଓଡ଼ିଶା ଏପରି ହୋଇନଥାନ୍ତା । ସନ୍ଥକବି ଭୀମ ଭୋଇ, ଗଙ୍ଗାଧର ମେହେର, ଚନ୍ଦ୍ରଶେଖର ବେହେରା, ରାଜା ବାସୁଦେବ ସୁଢ଼ଳ ଦେବ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ମହାପୁରୁଷଙ୍କ ତ୍ୟାଗକୁ ଆମକୁ ମନେ ପକାଇବାକୁ ହେବ। “ସମୟ ଥିଲା ଦେଶ ଓ ରାଜ୍ୟ ପାଇଁ ଜୀବନ ଦେବାକୁ ପଡ଼ୁଥିଲା, କିନ୍ତୁ ଆଜି ଆମକୁ ସମାଜ ପାଇଁ ସାର୍ଥକ ଭାବେ ବଞ୍ଚିବାକୁ ହେବ।”

ଆଜି ବିଶ୍ୱ ପ୍ରଗତି ନାମରେ ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠି ମଣିଷର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁବସମାଜ ବାଟଭ୍ରଷ୍ଟ ହେଉଥିବା ବେଳେ ସେମାନଙ୍କୁ ସଠିକ୍ ବାଟ ଦେଖାଇବା ଶିକ୍ଷକଙ୍କ ଦାୟିତ୍ୱ। ପରିବେଶ ସୁରକ୍ଷା ପାଇଁ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ବ୍ୟବହାର କ୍ଷତିକାରକ; ମା’ ସମଲେଶ୍ୱରୀ ମନ୍ଦିରରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବା ଏହାର ଏକ ବଡ଼ ଉଦାହରଣ। ସ୍ୱଚ୍ଛତା ମାଧ୍ୟମରେ ସମାଜରେ ସୁସ୍ଥତା ଆଣିବାକୁ ଏକ ବ୍ରତ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.