“ଶିକ୍ଷାର ଅନ୍ତ ନାହିଁ, ତେଣୁ ଶିକ୍ଷକତା ଅନନ୍ତ କାଳ ପର୍ଯ୍ୟନ୍ତ ରହିବ”

45

ଓଡ଼ଗାଁରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ



ଓଡ଼ଗାଁ, ୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକ୍‌ ରୋଡ୍‌ସ୍ଥିତ କଲ୍ୟାଣୀ ମଣ୍ଡପଠାରେ ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ଓଡ଼ଗାଁ ପକ୍ଷରୁ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅବସରପ୍ରାପ୍ତ ଗୁରୁଜନମାନଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ଉପସ୍ଥିତ ଗୁରୁଜୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଧାୟକ ଡ. ସାହୁ କହିଥିଲେ, “ଶିକ୍ଷାର ଅନ୍ତ ନାହିଁ, ତେଣୁ ଶିକ୍ଷକତା ମଧ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ରହିବ।” ସରକାରୀ ସେବାରୁ ଅବସର ନେଲେ ମଧ୍ୟ ଶିକ୍ଷକଙ୍କ ସାମାଜିକ ଦାୟିତ୍ୱ ଶେଷ ହୁଏନାହିଁ। ବର୍ତ୍ତମାନ ସମାଜରେ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଅଭାବରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହାର ସମାଧାନ ପାଇଁ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ସକ୍ରିୟ ଭୂମିକା ନେବା ଆବଶ୍ୟକ। ସମାଜରେ ସମସ୍ୟା ସୃଷ୍ଟି କରୁଥିବା ଓ ଅସାମାଜିକ କାର୍ଯ୍ୟକୁ ସମର୍ଥନ ଯୋଗାଡ଼ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସୁସ୍ଥ ସମାଜ ଗଠନ ପାଇଁ ଆଗେଇ ଆସିବାକୁ ସେ ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ଗୁରୁପୂଜନ ପରମ୍ପରାକୁ ନୟାଗଡ଼ ବିଧାୟକଙ୍କ ଏକ ମହତ୍ତ୍ୱାକାଂକ୍ଷୀ ଚିନ୍ତାଧାରା ଭାବେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପ୍ରଶଂସା କରିଥିଲେ। ଓଡ଼ଗାଁ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ତଥା ଓଡ଼ଗାଁ ବ୍ଲକ୍‌ ଅଧ୍ୟକ୍ଷ ଲୋକନାଥ ସାହୁ ଏହି ପରମ୍ପରାକୁ ପ୍ରେରଣାଦାୟୀ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡ଼ଗାଁର କ୍ରୀଡ଼ାବିତ୍‌ ଦିବାକର ନାୟକ ପ୍ରମୁଖ ଯୋଗଦେଇ ଗୁରୁ-ଶିଷ୍ୟ ପରମ୍ପରାର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ମତ ରଖିଥିଲେ। ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ଓ ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ପ୍ରଧାନ ସଂଯୋଜନା କରିଥିଲେ। ଏହାବ୍ୟତୀତ କୁରାଳ ଗ୍ରାମ ପଞ୍ଚାୟତ ଓ ‘ମାତୃଭୂମି କୁରାଳ’ର ମିଳିତ ଆନୁକୂଲ୍ୟରେ ମଧ୍ୟ ଗୁରୁପୂଜନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକଙ୍କ ସମେତ ବହୁ ସେବାରତ ଗୁରୁଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀ, ରଘୁନାଥ ବଷ୍ଟଡିକେୟାର, ଓଡ଼ଗାଁ ସମେତ ଓଡ଼ଗାଁ ବ୍ଲକ୍‌ ଓ ଏନ୍‌ଏସି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଥିଲା।

Leave A Reply

Your email address will not be published.