କୋରାପୁଟରେ ଟିପିଏସ୍ଓଡିଏଲର ସୁରକ୍ଷା ନବସୃଜନ ଓ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା

16

କୋରାପୁଟ, ସେପ୍ଟେମ୍ବର: ଏକ ସୁରକ୍ଷିତ ବିଦ୍ୟୁତ ବିତରଣ ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜୟକୋ ସେଫ୍ଟି ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡର ସହଯୋଗରେ କୋରାପୁଟଠାରେ ଏକ ସ୍ୱତନ୍ତ୍ର ସୁରକ୍ଷା ନବସୃଜନ ଓ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଛି । ବିଦ୍ୟୁତ ନିରୋଧକ ରବର ଗ୍ଲୋବସ୍ ସହ କ୍ଷେତ୍ର କର୍ମଚାରୀମାନେ ବ୍ୟବହାର କରୁଥିବା ସୁରକ୍ଷା ଉପକରଣର ଆଭ୍ୟନ୍ତରୀଣ ମାନ ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯାହାଫଳରେ ବିଦ୍ୟୁତଜନିତ ଦୁର୍ଘଟଣାରୁ କର୍ମଚାରୀମାନେ ସୁରକ୍ଷିତ ରହିପାରିବେ ।

ଟାଟା ପାଓ୍ୱାରର ଚିଫ୍- ସୁରକ୍ଷା ( ସଞ୍ଚାରଣ ଓ ବିତରଣ) ଶ୍ରୀ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟ, ଜୟପୁର ଓ ରାୟଗଡ଼ାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ଜୋନାଲ୍ ହେଡ୍ ଶ୍ରୀ ମନ୍ମଥ ନାଥ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷା କେନ୍ଦ୍ରକୁ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକ୍ଷମ କରାଯାଇଥିଲା ।

କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ ଟିପିଏସ୍ଓଡିଏଲର ପ୍ରତ୍ୟେକ କାର୍ଯ୍ୟର କେନ୍ଦ୍ରବିନ୍ଦୁରେ ସୁରକ୍ଷା ରହିଛି । କୋରାପୁଟଠାରେ ସୁରକ୍ଷା ନବସୃଜନ ଓ ପରୀକ୍ଷଣ କେନ୍ଦ୍ର କମ୍ପାନୀର କ୍ଷେତ୍ରୀୟ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ । ସୁରକ୍ଷାକୁ ନିରନ୍ତର ସୁଦୃଢ଼ କରିବା ଦିଗରେ କମ୍ପାନୀ ଏଭଳି ପଦକ୍ଷେପ ନେଇଛି । କର୍ମଚାରୀମାନେ ବ୍ୟବହାର କରୁଥିବା ସୁରକ୍ଷା ଉପକରଣର ମାନକୁ ବୃଦ୍ଧି କରି ଆମେ କେବଳ କର୍ମଚାରୀଙ୍କର ସୁରକ୍ଷା ସୁନିଶ୍ଚିତ କରୁନାହୁଁ, ବରଂ ଗ୍ରାହକ ସଂପ୍ରଦାୟକଙ୍କ ନିମନ୍ତେ ଏକ ସୁରକ୍ଷିତ ବିଦ୍ୟୁତ ନେଟଓ୍ୱର୍କ ପ୍ରସ୍ତୁତ କରୁଛୁ । ”

ଏହି କେନ୍ଦ୍ରରେ ପୁନଃବ୍ୟବହାର ଯୋଗ୍ୟ ବିଦ୍ୟୁତ ନିରୋଧକ ଗ୍ଲୋବସ୍ ଗୁଡ଼ିକର ପରୀକ୍ଷଣ ଓ ବୈଧତା ନିର୍ଦ୍ଧାରଣ କରାଯିବ । ଗ୍ଲୋବସ୍ ର ଡାଇ-ଇଲେକଟ୍ରିକ୍ ଅଖଣ୍ଡତା  ଓ ବିଦ୍ୟୁତ ପ୍ରତିରୋଧ କ୍ଷମତା ଯାଞ୍ଚ କରି ଏହାକୁ ବ୍ୟବହାର ନିମନ୍ତେ ଅନୁମୋଦିତ କରାଯିବ । ଫଳରେ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ ଅଧିକ ସୁରକ୍ଷିତ ରହିବେ । ଏହି କେନ୍ଦ୍ର ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ବାହ୍ୟ ସଂସ୍ଥା ଉପରେ କମ୍ପାନୀର ନିର୍ଭରଶୀଳତାକୁ ହ୍ରାସ କରିବ । ଏହା ସହ କମ୍ ସମୟରେ ବୈଜ୍ଞାନିକ ମୂଲ୍ୟାଙ୍କନ ସମ୍ଭବପର ହୋଇପାରିବ ।

କର୍ମଚାରୀଙ୍କ ସୁରକ୍ଷା ଓ ଗ୍ରାହକ ସେବା ପରସ୍ପର ସହ ଜଡ଼ିତ ଅଟେ । ସୁରକ୍ଷିତ କର୍ମଚାରୀମାନେ ହିଁ ସୁରକ୍ଷିତ ବିଦ୍ୟୁତ କାର୍ଯ୍ୟ ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ସେବା ପ୍ରଦାନ କରିପାରିବେ । ଏହି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ନିଜର ସମଗ୍ର କାର୍ଯ୍ୟ ପରିସରରେ ଏକ ସକ୍ରିୟ ଏବଂ ପ୍ରମାଣଭିତ୍ତିକ ସୁରକ୍ଷା ସଂସ୍କୃତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.