ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା
ବାଲେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ଉତ୍ତର ଓଡ଼ିଶାରେ ସୌର ତନ୍ତ୍ରର ବହୁଳ ବ୍ୟବହାର ନେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ରୁଫଟପ୍ ସୋଲାର କ୍ଷେତ୍ରରେ ଏକ ନୂଆ ମାଇଲ୍ଖୁଣ୍ଟ ହାସଲ କରିଛି । କମ୍ପାନୀର ସମସ୍ତ ପାଞ୍ଚଟି ବିଦ୍ୟୁତ୍ ବିତରଣ ଜିଲ୍ଲାରେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ଉଲା ମଡେଲ୍ ଅଧିନରେ ରୁଫଟପ୍ ସୋଲାର ସ୍ଥାପନା ସଂଖ୍ୟା ୫୦ ହଜାର ଟପି ୫୧,୦୦୪ ରେ ପହଞ୍ଚିଛି । ଉତ୍ତର ଓଡ଼ିଶାରେ ଉପଭୋକ୍ତାଙ୍କ ସୌର ଶକ୍ତି ପ୍ରତି ବଢ଼ୁଥିବା ଆସ୍ଥା ଓ ଆଗ୍ରହ ସହ ସବୁଜ ଶକ୍ତିକୁ ଅଧିକ ସହଜ ଓ ସୁଲଭ କରିବା ଦିଗରେ ସରକାରୀ ସ୍ତରରେ ସହାୟତଏବଂ ଟିପିଏନଓଡିଏଲ ର ପ୍ରୟାସ ଏହି ସଫଳତା ଆଣିଦେଇଛି ।
ଜିଲ୍ଲାୱାରୀ ପ୍ରଦର୍ଶନରୁ ଟିପିଏନଓଡିଏଲ୍ ର ସମସ୍ତ ବୈଦ୍ୟୁତିକ ସେବା ଯୋଗାଣ ମଣ୍ଡଳରେ ବ୍ୟାପକ ଉପଭୋକ୍ତା ଭାଗିଦାରୀ ସ୍ପଷ୍ଟ ଜଣାପଡୁଛି । ବାଲେଶ୍ୱର ଜିଲ୍ଲା ୧୮,୫୫୯ଟି ସୌରତନ୍ତ୍ର ସ୍ଥାପନା ସହିତ ଶୀର୍ଷରେ ଥିବା ବେଳେ ମୟୂରଭଞ୍ଜରେ ୧୦,୮୨୪, ଯାଜପୁରରେ ୯,୨୯୫, ଭଦ୍ରକରେ ୬,୫୭୫ ଏବଂ କେନ୍ଦୁଝରରେ ୫,୭୫୧ ଟି ସୌର ପ୍ରକଳ୍ପ ସ୍ଥାପିତ ହୋଇଛି । ସରକାରୀ ସବସିଡି, ସରଳ ଆବେଦନ ପ୍ରକ୍ରିୟା ଏବଂ ନିଷ୍ଠାପର ଉପଭୋକ୍ତାକୈନ୍ଦ୍ରିକ କାର୍ଯ୍ୟାନ୍ୱୟନର ସଫଳ ସମନ୍ୱୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହାର ଫଳସ୍ୱରୂପ, ଅନେକ ହିତାଧିକାରୀ ପରିବାର ଶୂନ୍ୟ-ୟୁନିଟ୍ ବିଦ୍ୟୁତ ବିଲ୍ ପାଇଥିବା ବେଳେ ଉପଭୋକ୍ତାଙ୍କ ମାସିକ ବିଦ୍ୟୁତ ଖର୍ଚ୍ଚରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଢ଼ ନୀତିଗତ ସହାୟତା ତଥା ଟିପିଏନଓଡିଏଲ୍ ର ବ୍ୟବସ୍ଥିତ ଏବଂ ସରଳୀକୃତ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଯୋଗୁଁ ରୁଫଟପ୍ ସୋଲାରର ବ୍ୟବହାର ଏବଂ ପ୍ରସାରରେ ଦ୍ରୁତ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଯୋଗ୍ୟ ଘରୋଇ ଉପଭୋକ୍ତାମାନେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇ ପାରୁଛନ୍ତି, ଯାହା ପୁଞ୍ଜି ବିନିଯୋଗ ଖର୍ଚ୍ଚକୁ ଯଥେଷ୍ଟ କମାଇଦେଉଛି। ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୩ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପ୍ରାୟ ୧.୪୦ ଲକ୍ଷ ଟଙ୍କା ମୂଲ୍ୟର ୨ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ରହିଛି । ଏହା ବ୍ୟତୀତ, ୧ କିଲୋୱାଟ୍ ଚୁକ୍ତିଯୁକ୍ତ ଯୋଗ୍ୟ ଉପଭୋକ୍ତାଙ୍କ ପାଇଁ ସବୁଜ ଶକ୍ତି ସୁଲଭ କରିବା ଉଦ୍ଦେଶ୍ୟରେ ୟୁଏଲ୍ଏ ମଡେଲ କାର୍ଯ୍ୟକାରୀ ହୋଇଛି, ଯାହାଦ୍ଵାରା ସ୍ଥାପନାର ସମ୍ପୂର୍ଣ୍ଣ ଦାୟିତ୍ୱ ଟିପିଏନଓଡିଏଲ୍ ନେଉଥିବାବେଳେ, ଉପକରଣ ପାଇଁ ୫ ବର୍ଷର ୱାରେଣ୍ଟି ଏବଂ ସୋଲାର ପ୍ୟାନେଲ୍ ପାଇଁ ୨୫ ବର୍ଷର ପରଫର୍ମାନ୍ସ ୱାରେଣ୍ଟି ପ୍ରଦାନ କରାଯାଉଛି । ଏହା ଉପଭୋକ୍ତାଙ୍କୁ ଦୀର୍ଘମିଆଦୀ ବିଶ୍ୱସନୀୟତା ସହିତ ଅସୁବିଧାରହିତ ସୌର ଶକ୍ତି ବ୍ୟବହାରର ସୁବିଧା ମଧ୍ୟ ଦେଉଅଛି ।
ଏହି ସଫଳତା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଟିପିଏନଓଡିଏଲ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “୫୦ ହଜାରରୁ ଉର୍ଦ୍ଧ୍ୱ ସୋଲାର ସ୍ଥାପନ ସଂଖ୍ୟା ଅତିକ୍ରମ କରିବା ଦୀର୍ଘସ୍ଥାୟୀ ଶକ୍ତି ସମାଧାନ ପ୍ରତି ଉପଭୋକ୍ତାଙ୍କ ଆସ୍ଥା ଓ ଆଗ୍ରହକୁ ପ୍ରତିଫଳିତ କରୁଛି ।” ସୌର ଶକ୍ତିକୁ ଏକ ବିକଳ୍ପ ଶକ୍ତି ଉତ୍ସ ଭାବେ ଆପଣାଇଥିବା ଉତ୍ତର ଓଡ଼ିଶାର ସମସ୍ତ ଉପଭୋକ୍ତାମାନଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ଉପଭୋକ୍ତା ସେବା -କେନ୍ଦ୍ରିକ ମନୋଭାବ, ପରିଚାଳନାଗତ ଦକ୍ଷତା ବୃଦ୍ଧି ତଥା ସୁଲଭ ଓ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଟିପିଏନଓଡିଏଲ୍ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି I
ଉପଭୋକ୍ତା-କେନ୍ଦ୍ରିକ ସେବା, ନେଟୱାର୍କର ସମ୍ପ୍ରସାରଣ, ଭିତ୍ତିଭୂମିର ବିକାଶ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ଟିପିଏନଓଡିଏଲ୍ ଉତ୍ତର ଓଡ଼ିଶାର ବିଦ୍ୟୁତ ବିତରଣରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି । ସୁରକ୍ଷା, ପରିଚାଳନାଗତ ଶ୍ରେଷ୍ଠତା, ବ୍ୟବସାୟିକ ସୁପରିଚାଳନା ଏବଂ ସ୍ଥାୟୀ ବିକାଶକୁ ସଂସ୍ଥା ପ୍ରାଥମିକତା ସେବା ସହିତ ସୁଦୃଢ଼ ବିଦ୍ୟୁତ ନେଟୱାର୍କ, ପ୍ରକ୍ରିୟାର ସରଳୀକରଣ ଏବଂ ଦାୟିତ୍ୱବାନ ସମ୍ବଳ ପରିଚାଳନା ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଇବା ନେଇ ସଂସ୍ଥା ବିଭିନ୍ନ ପ୍ରକଳ୍ପ ଜାରି ରଖିଛି ।
ରୁଫ୍ଟପ୍ ସୋଲାର ପାଇଁ ଇଚ୍ଛୁକ ଘରୋଇ ଉପଭୋକ୍ତମାନେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଅଥବା ସୂଚନା, ଯୋଗ୍ୟତା ଏବଂ ସ୍ଥାପନା ସମ୍ପର୍କିତ ସହାୟତା ପାଇଁ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ ରେ ଯୋଗାଯୋଗ କରିବା ନେଇ ଟିପିଏନଓଡିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି ।