ସହରବାସୀଙ୍କ ସହଯୋଗକୁ ଶ୍ରେୟ ଦେଲେ ପୌରପରିଷଦ ଅଧ୍ୟକ୍ଷା
ବଲାଙ୍ଗୀର: ବଲାଙ୍ଗୀର ପୌରପରିଷଦକୁ ରାଜ୍ୟସ୍ତରୀୟ ପୁରସ୍କାର ମିଳିବା ପରେ ବଲାଙ୍ଗୀର ସହରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
ଏହି ସଫଳତା ଅବସରରେ ପୌରପରିଷଦ ପକ୍ଷରୁ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ନାୟନ ସିଂହ ଦେଓ ଯୋଗଦେଇଥିବା ବେଳେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପନଗରପାଳ, କାଉନସିଲର, ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ସମାରୋହରେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ କହିଥିଲେ ଯେ, ଏହି ରାଜ୍ୟସ୍ତରୀୟ ସମ୍ମାନ କେବଳ ପୌରପରିଷଦର ସଫଳତା ନୁହେଁ; ଏହା ସମଗ୍ର ବଲାଙ୍ଗୀର ସହରବାସୀଙ୍କ ସଫଳତା।
ସହରବାସୀଙ୍କ ସାହାଯ୍ୟ, ସହଯୋଗ, ସମର୍ଥନ ଓ ଭଲପାଇବା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ସେ କହିବା ସହ ସମସ୍ତ ସହରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।
ବିଧାୟକ ଶ୍ରୀ ସିଂହଦେଓଙ୍କ ମାର୍ଗଦର୍ଶନ ଓ ବଲାଙ୍ଗୀର ସହରର ବିକାଶ ପାଇଁ ତାଙ୍କ ଉଦ୍ୟମକୁ ମଧ୍ୟ ଅଧ୍ୟକ୍ଷା ପ୍ରଶଂସା କରିଥିଲେ। ତାଙ୍କ ମାର୍ଗଦର୍ଶନ ଓ ବଲାଙ୍ଗୀରବାସୀଙ୍କ ପ୍ରତି ଭଲପାଇବା ଯୋଗୁଁ ସହର ବିକାଶର ଗତି ଆହୁରି ବଢ଼ିଛି ବୋଲି ସେ ମତ ଦେଇଥିଲେ।
ରାଜ୍ୟସ୍ତରରେ ପୌରସଂସ୍ଥାଗୁଡ଼ିକୁ ରାଜସ୍ୱ ଆଦାୟ ଆଧାରରେ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିବା ନେଇ ମଧ୍ୟ ସମାରୋହରେ ଆଲୋଚନା ହୋଇଥିଲା।
ବକ୍ତାମାନେ କହିଥିଲେ, ଏକ ସହରର ବିକାଶ କେବଳ ଜଣେ ବ୍ୟକ୍ତିଙ୍କ ପ୍ରୟାସରେ ସମ୍ଭବ ନୁହେଁ। କୁମ୍ଭାର ଯେପରି ମାଟିକୁ ବିଭିନ୍ନ ପ୍ରକ୍ରିୟାରେ ଗଢ଼ି ଏକ ସୁନ୍ଦର ପାତ୍ର ତିଆରି କରେ, ସେହିପରି ପୌରପରିଷଦ, ନିର୍ବାଚିତ ପ୍ରତିନିଧି, ଅଧିକାରୀ, କର୍ମଚାରୀ ଓ ସହରବାସୀଙ୍କ ମିଳିତ ପ୍ରୟାସରେ ହିଁ ସହରର ବିକାଶ ସମ୍ଭବ।
ସମାରୋହରେ ସିନିୟର ସିଟିଜେନ, ବ୍ରାହ୍ମଣ ସମାଜ, କୁଲ୍ଥା ସମାଜ ସମେତ ବିଭିନ୍ନ ସମାଜ ଓ ସଂଗଠନର ପ୍ରତିନିଧିମାନଙ୍କୁ ସ୍ୱାଗତ ଓ କୃତଜ୍ଞତା ଜଣାଯାଇଥିଲା।
ଆଗାମୀ ଦିନରେ ମଧ୍ୟ ବଲାଙ୍ଗୀରବାସୀଙ୍କ ସମର୍ଥନ, ସହଯୋଗ ଓ ଆଶୀର୍ବାଦ ଜାରି ରହିଲେ ବଲାଙ୍ଗୀର ପୌରପରିଷଦ ଆହୁରି ଆଗକୁ ବଢ଼ିବା ସହ ସହରର ବିକାଶକୁ ନୂଆ ଗତି ମିଳିବ ବୋଲି ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ଆଶାବ୍ୟକ୍ତ କରିଥିଲେ।