ଓଡ଼ଗାଁ କଲେଜ ପାଚେରୀରେ ଏବିଭିପି ବିଜ୍ଞାପନକୁ ବିରୋଧ

16


୧୦ ଦିନ ମଧ୍ୟରେ ନ ହଟିଲେ ଧାରଣା ଦେବେ ଛାତ୍ରଛାତ୍ରୀ,


ଓଡ଼ଗାଁ, ୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ପାଚେରୀ କାନ୍ଥରେ ବିନା ଅନୁମତିରେ ଲେଖାଯାଇଥିବା ଏବିଭିପିର ବିଜ୍ଞାପନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଜ୍ଞାପନକୁ ଆଗାମୀ ୧୦ ଦିନ ମଧ୍ୟରେ ହଟାଇବା ସହ କଲେଜର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ପୂର୍ବତନ ଓ ବର୍ତ୍ତମାନର ଛାତ୍ରନେତାଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ଟଏଲେଟ୍, ପାନୀୟ ଜଳ ସମେତ ବିଭିନ୍ନ ସମସ୍ୟା ରହିଛି। ଏସବୁର ଶୀଘ୍ର ସମାଧାନ ପାଇଁ ମଧ୍ୟ ସେମାନେ ଅଧ୍ୟକ୍ଷଙ୍କ ନିକଟରେ ଦାବି ରଖିଛନ୍ତି। ଛାତ୍ରନେତା ଦିଲ୍ଲୀପ ବିଶୋଇ ଅଭିଯୋଗ କରିଛନ୍ତି ଯେ, ସରକାରୀ କଲେଜର କ୍ୟାମ୍ପସ କିମ୍ବା ପାଚେରୀରେ ବିନା ଅନୁମତିରେ ବିଜ୍ଞାପନ ଲେଖିବା ନିଷେଧ। ତଥାପି ଏବିଭିପି ପକ୍ଷରୁ ବିନା ଅନୁମତିରେ ବିଜ୍ଞାପନ ଲେଖାଯାଇ କଲେଜର ସୌନ୍ଦର୍ଯ୍ୟ ନଷ୍ଟ କରାଯାଇଛି। ଏଥିସହ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପରେ ରାଜନୈତିକ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି। ସମ୍ରାଟ କେଶରୀ ନାୟକ, ଆରତ ନାୟକ, ବିକ୍ରମ ନାୟକ, ମନୋଜ ପୃଷ୍ଟି, ବାଦଲ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଭେଟି ବିନା ଅନୁମତିରେ ବିଜ୍ଞାପନ ଲେଖିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ସହ ଆଗାମୀ ୧୦ ଦିନ ମଧ୍ୟରେ ବିଜ୍ଞାପନ ଲିଭାଇବାକୁ ଦାବି କରିଛନ୍ତି। ଦାବିଗୁଡ଼ିକ ପୂରଣ ନ ହେଲେ ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.