ଏମ୍.ଭି.-୭୯ ଜଳସେଚନ କଲୋନୀ ଖେଳ ପଡ଼ିଆର ମାପଚୁପ ଦାବି, ମିନି ଷ୍ଟାଡିଅମ ନିର୍ମାଣ ପାଇଁ ଉଠିଲା ଦାବି

35


ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୭୯ ଇରିଗେସନ କଲୋନୀରେ ଥିବା ଖେଳ ପଡ଼ିଆକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଉକ୍ତ ଖେଳ ପଡ଼ିଆର ସରକାରୀ ମାପଚୁପ କରି ସୀମା ନିର୍ଦ୍ଧାରଣ କରିବା ସହ ଏହାକୁ ସୁରକ୍ଷିତ କରିବା ପାଇଁ ମୋଟୁ ତହସିଲଦାରଙ୍କ ନିକଟରେ ଦରଖାସ୍ତ ଦିଆଯିବାକୁ ସ୍ଥାନୀୟ ବାସିନ୍ଦା, ଅଭିଭାବକ ଓ ଯୁବବର୍ଗ ପକ୍ଷରୁ ଦାବି କରାଯାଇଛି।


ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପଡ଼ିଆଟି ଇରିଗେସନ କଲୋନୀ ଏବଂ ଆଖପାଖ ଅଞ୍ଚଳର ଶିଶୁ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ଖେଳ ସ୍ଥାନ। କିନ୍ତୁ ପଡ଼ିଆର ପ୍ରକୃତ ସୀମା ଓ ଜମିର ସ୍ଥିତି ସ୍ପଷ୍ଟ ନ ଥିବାରୁ ଏହାର ସୁରକ୍ଷା ନେଇ ସମସ୍ୟା ଦେଖାଦେଇଛି।
ତେଣୁ ସରକାରୀ ରେକର୍ଡ ଅନୁଯାୟୀ ପଡ଼ିଆର ମାପଚୁପ କରି ଖାତା ଓ ପ୍ଲଟ୍‌ର ସ୍ଥିତି ଯାଞ୍ଚ ସହ ସୀମା ନିର୍ଦ୍ଧାରଣ କରାଯାଇ ସୀମା ଚିହ୍ନ ସ୍ଥାପନ କରିବାକୁ ଦାବି ହୋଇଛି।


ଏହା ସହିତ ଉକ୍ତ ଖେଳ ପଡ଼ିଆକୁ ସୁରକ୍ଷିତ କରି ସେଠାରେ ଏକ ଆଧୁନିକ ମିନି ଷ୍ଟାଡିଅମ ନିର୍ମାଣ କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ହେଲେ ଅଞ୍ଚଳର ଶତାଧିକ ଶିଶୁ ଓ ଯୁବକ-ଯୁବତୀଙ୍କୁ ନିୟମିତ କ୍ରୀଡ଼ା ଅଭ୍ୟାସର ସୁଯୋଗ ମିଳିବା ସହ ପ୍ରତିଭାବାନ ଖେଳାଳିଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିପାରିବ।
ସ୍ଥାନୀୟ ବାସିନ୍ଦାମାନେ ତହସିଲ ପ୍ରଶାସନ ତୁରନ୍ତ ପଡ଼ିଆର ମାପଚୁପ କରାଇ ଏହାକୁ ସୁରକ୍ଷିତ କରିବା ସହ ମିନି ଷ୍ଟାଡିଅମ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.