ସ୍ୱାୟତ୍ତ ଶାସନ ଦିବସରେ ‘ଡାକ୍ତର ପିସି ଦାସ ସେବା ସମ୍ମାନ’ ପାଇଲେ ବରିଷ୍ଠ ଡାକ୍ତର ଉମେଶ ଚନ୍ଦ୍ର ସାହୁ

35

କେନ୍ଦୁଝର,ତା୧/୯- କାଲି କେନ୍ଦୁଝର ଅଡ଼ିଟୋରିୟମ ଠାରେ କେନ୍ଦୁଝରଗଡ଼ ନଗରପାଳିକା ପକ୍ଷରୁ ୭୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଲାଗି ସ୍ଥାନୀୟ ନଗରପାଳିକା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ କାଲି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅତିଥିମାନଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯାଇ ବିଭିନ୍ନ ପ୍ରତିଯୋଗୀ ଓ ପ୍ରତିଭାଙ୍କୁ ନଗରପାଳିକା ପକ୍ଷରୁ ପୁରସ୍କୃତ କରାଯାଇଛି। ତେବେ ପ୍ରଥମ ଥର ଲାଗି କେନ୍ଦୁଝରଗଡ଼ ନଗରପାଳିକା ପକ୍ଷରୁ ମୌଳିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଷ୍ଠାପର ଉଦ୍ୟମ ଲାଗି ‘ଡାକ୍ତର ପିସି ଦାସ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ତେଣୁ ଚଳିତ ବର୍ଷ ପ୍ରଥମେ ଏହି ସମ୍ମାନ ଜିଲ୍ଲାର ବରିଷ୍ଠ ଡାକ୍ତର ଉମେଶ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ କି ଡାକ୍ତର ସାହୁ ଭେଷଜ ବିଶେଷଜ୍ଞ ଭାବେ ଜିଲ୍ଲାରେ ଅନେକ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରୋଗୀ ସେବା କରି ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କୁ ଏହି ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସୂଚନାଯୋଗ୍ୟ କି ଅବିଭକ୍ତ କଟକ ଜିଲ୍ଲାର ଜଗତସିଂହପୁର ଅନ୍ତର୍ଗତ ଏକ ପଲ୍ଲୀରେ ଜନ୍ମଗ୍ରହଣ କରି ପ୍ରାଥମିକ ଶିକ୍ଷା ସମାପ୍ତ କରି କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରୁ ଡାକ୍ତରୀ ପାସ କରି ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଦାସ କେନ୍ଦୁଝର ସହରକୁ ଆସି ରୋଗୀ ସେବା ଆରମ୍ଭ କରିଥିଲେ। ସେ କିଛି ସମୟ ଲାଗି ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାରେ ରୋଗୀ ସେବା ପ୍ରଦାନ କରିଥିଲେ ମଧ୍ୟ କେନ୍ଦୁଝର ସହରରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ରୋଗୀ ସେବା ପ୍ରଦାନ କରି ଖୁବ ଲୋକପ୍ରିୟ ହୋଇଥିଲେ। ତେବେ ଚଳିତ ବର୍ଷ ତାଙ୍କର ନିଧନ ପରେ ଲୋକେ ତାଙ୍କୁ ଏବେ ଝୁରି ହେଉଛନ୍ତି। ତେଣୁ ପ୍ରତିବର୍ଷ ଚିକତ୍ସା ରୋଗୀ ସେବା କ୍ଷେତ୍ରରେ ନିଷ୍ଠାପର ଜଣେ ବ୍ୟକ୍ତି ବିଶେଷଙ୍କୁ ଏହି ସେବା ସମ୍ମାନ ଦିଆଯିବ ବୋଲି କେନ୍ଦୁଝରଗଡ଼ ନଗରପାଳିକାର ଉପନଗରପାଳ ବରଦା ପ୍ରସନ୍ନ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମଞ୍ଚରେ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପୌର ଅଧ୍ୟକ୍ଷା ନିକୁ ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧିଙ୍କ ସହ ସମସ୍ତ ପୌର ପରିଷଦ ପାରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.