ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

40
  • ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଶ୍ରାବଣୀଙ୍କ ଚରିତ୍ର ସଂହାର କରୁଛନ୍ତି ଦୁଇ ଅସାମାଜିକ ଯୁବକ
  • ଶ୍ରାବଣୀ ଏଫ୍ଆଇଆର୍ ଦେବାର ଦୁଇ ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
  • ଗତ ଦୁଇ ବର୍ଷରେ ରାଜ୍ୟରେ ୪୧, ୦୦୦ରୁ ଉଦ୍ଧ୍ୱର୍ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି


ଭୁବନେଶ୍ୱର, ୩୧/୦୮/୨୦୨୬: ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତା ବସ୍ତିଆ ଓ ଜଗତସିଂହପୁର ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଲୋରା ମହାପାତ୍ର ରାଜ୍ୟରେ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ କରିଥିଲେ ।
ଶ୍ରୀମତୀ ଗୀତା ବସ୍ତିଆ କହିଥିଲେ, ରାଜ୍ୟରେ ମହିଳାମାନଙ୍କର ସୁରକ୍ଷା ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାମାଜିକ ଗଣମାଧ୍ୟମରେ ନିଜ ମତ ରଖିବାରେ ସକ୍ରିୟ ଥିବା ଶ୍ରାବଣୀ ପ୍ରିୟଦର୍ଶିନଙ୍କୁ ଦୁଇ ଜଣ ଅସାମାଜିକ ବ୍ୟକ୍ତି ନିୟମିତ ଭାବେ ଗାଳିଗୁଲଜ କରୁଛନ୍ତି ଓ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରୁଥିବା ଯୁବକମାନଙ୍କ ବିରୋଧରେ ଶ୍ରାବଣୀ ଏକ ଏଫ୍ଆଇଆର୍ ଦେଇଛନ୍ତି । କିନ୍ତୁ, ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ଦିଆଯାଇ ନାହିଁ । ଶ୍ରାବଣୀ ବର୍ତ୍ତମାନ ଗୋଟିଏ ମାନହାନୀ ମାମଲା କରିଛନ୍ତି । କିନ୍ତୁ, ଏଥିରେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିପାରି ନାହିଁ ।
ଶ୍ରୀମତୀ ଲୋରା ମହାପାତ୍ର କହିଥିଲେ, ଦୁଃଖ ଓ ପରିତାପର ବିଷୟ ଯେ ରାଜ୍ୟରେ ମହିଳାମାନଙ୍କ ଅଧିକାରକୁ ଚାପି ଦିଆଯାଉଛି । ଶ୍ରାବଣୀ ଜଣେ ଉଚ୍ଚଶିକ୍ଷିତା ମହିଳା ହୋଇଥିବା ବେଳେ ତାଙ୍କ ବିରୋଧରେ ଦୁଇ ଜଣ ଯୁବକ ଅଶାଳୀନ ମନ୍ତବ୍ୟ ଦେଇ ତାଙ୍କ ଚରିତ୍ର ସଂହାର କରି ଚାଲିଛନ୍ତି । ସେ ଏଫ୍ଆଇଆର୍ ଦେଇଛନ୍ତି, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । କାହା ଚାପରେ ପୋଲିସ ନିରବ ରହିଛି । ରାଜ୍ୟ ବିଜେପି ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମହିଳାଙ୍କ ବାକ ସ୍ୱାଧୀନତା ଯଦି ନରହିବ ତାହେଲେ ମହିଳା ମାନେ ସଶକ୍ତ ହେବେ କିପରି? ବିଜେପି ନାରୀ ବନ୍ଦନା କଥା କହୁଛି । ଏହା କଣ ତାଙ୍କର ନାରୀ ଶକ୍ତି ବନ୍ଦନା । ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ବିଜେପି କ୍ଷମତାକୁ ଆସିବା ପରେ, ଗତ ଦୁଇ ବର୍ଷରେ ରାଜ୍ୟରେ ୪୧, ୦୦୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନା ଓ ବିଭିନ୍ନ ଅପରାଧର ଶିକାର ହୋଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଶ୍ରାବଣୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ।

Leave A Reply

Your email address will not be published.