ଡାକ୍ତର ନିଯୁକ୍ତି ଦାବିରେ କୋଲାବିରାରେ ଗଣବିକ୍ଷୋଭ

9


ଝାରସୁଗୁଡ଼ା, ୨୯। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଯୋଗୁଁ କୋଲାବିରା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ଅଭିଯୋଗ କରି ଆଞ୍ଚଳିକ ବିକାଶ ପରିଷଦ ଲଇକେରା, କୋଲାବିରା ଓ କିର୍ମିରା ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କୋଲାବିରା ମେଡିକାଲ ଛକରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା।

ସଂଗଠନର ଉପସଭାପତି ସ୍ୱରୂପ କିସାନ ଓ ସମ୍ପାଦକ ପ୍ରଶାନ୍ତ ମହାନନ୍ଦିଆଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ ଶତାଧିକ ଅଞ୍ଚଳବାସୀ ଓ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ସେମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବା ସହ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଦାବି କରିଥିଲେ।

ପରିଷଦର ଅଭିଯୋଗ ଅନୁଯାୟୀ, କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନସ୍ଥ ପିଏଚ୍‌ସିଗୁଡ଼ିକରେ ମୋଟ ୨୨ଟି ମଞ୍ଜୁରିପ୍ରାପ୍ତ ଡାକ୍ତରୀ ପଦବୀ ମଧ୍ୟରୁ ୧୪ଟି ଦୀର୍ଘଦିନ ଧରି ଖାଲି ପଡ଼ିଛି। ଏହାଛଡ଼ା ୨ଟି ପ୍ରଶାସନିକ ପଦବୀ ମଧ୍ୟ ଖାଲି ରହିଛି। ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ ଚିକିତ୍ସା ଏବଂ ମେଡିସିନ୍‌ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାମାନେ ଆବଶ୍ୟକ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ଏବଂ ବୁର୍ଲା ହସ୍ପିଟାଲ ଉପରେ ନିର୍ଭର କରୁଥିବା ପରିଷଦ ପକ୍ଷରୁ କୁହାଯାଇଛି।

ପଦଯାତ୍ରା ପରେ ପରିଷଦ ପକ୍ଷରୁ କୋଲାବିରା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସିଏଚ୍‌ସିରେ ଖାଲି ଥିବା ସମସ୍ତ ବିଶେଷଜ୍ଞ ଡାକ୍ତରଙ୍କ ସମେତ ଏଲ୍‌ଟିଆର୍‌ଏମ୍‌ଓ, ସୁପରିଣ୍ଟେଣ୍ଡେଣ୍ଟ ଓ ବିପିଏଚ୍‌ଓ ପଦବୀ ପୂରଣ କରିବାକୁ ଦାବି ହୋଇଛି। ସେହିପରି ପୋଖରାସାଲେ ଓ ବାଦୀମାଲ ପିଏଚ୍‌ସିରେ ଫାର୍ମାସିଷ୍ଟ ନିଯୁକ୍ତି ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଦାବି କରାଯାଇଛି।

ଆନ୍ଦୋଳନରେ ପରିଷଦ ସଭାପତି ଜିତେନ୍ଦ୍ରୀୟ ଧୁରୁଆ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, କୋଷାଧ୍ୟକ୍ଷ ସୁଖ କିସାନଙ୍କ ସମେତ ଆଦିବାସୀ ନେତା ପ୍ରଭାକର ଓରାମ, ବିଜେଡି ଜିଲ୍ଲା ଉପସଭାପତି ତୁଲାରାମ ସେନାପତି, ପୁରୁଷୋତ୍ତମ ନାଏକ ଓ ରଘୁନାଥପାଲି ସରପଞ୍ଚ ରିକି ସରାଫ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.