ଝାରସୁଗୁଡ଼ା, ୨୯। ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ଶ୍ରୀପୁରା ବାଲିଘାଟର ପରିବେଶଗତ ମଞ୍ଜୁରୀ ନିମନ୍ତେ ଶନିବାର ଆୟୋଜିତ ହେବାକୁ ଥିବା ଜନଶୁଣାଣୀ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ବାତିଲ ହୋଇଛି। ବାଲିଘାଟ ଲିଜ୍କୁ ନେଇ ଶ୍ରୀପୁରା ଗ୍ରାମବାସୀ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ।
ସୂଚନା ଅନୁଯାୟୀ, ବାଲିଘାଟକୁ ଯିବା ପାଇଁ ଗ୍ରାମରେ କୌଣସି ନିର୍ଦ୍ଦିଷ୍ଟ ସର୍ବସାଧାରଣ ରାସ୍ତା ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆବାସିକ ଅଞ୍ଚଳ ଦେଇ ଭାରୀ ବାଲି ବୋଝେଇ ଟ୍ରକ୍ ଓ ଟିପର ଚଳାଚଳ କଲେ ଗ୍ରାମର କଞ୍ଚା ଓ ସଂକୀର୍ଣ୍ଣ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିବ ବୋଲି ସେମାନେ କହିଛନ୍ତି। ବିଶେଷକରି ସ୍କୁଲ ଯାଉଥିବା ଶିଶୁ, ବୃଦ୍ଧବୃଦ୍ଧା ଓ ନିୟମିତ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
ଏନେଇ ଶୁକ୍ରବାର ଶ୍ରୀପୁରା ଗ୍ରାମବାସୀ ଝାରସୁଗୁଡ଼ା ତହସିଲଦାର ଓ ରାଜସ୍ୱ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ବାଲିଘାଟ ଲିଜ୍ ବାତିଲ ଦାବି କରିଥିଲେ।
ଶନିବାର ଜନଶୁଣାଣୀ ସ୍ଥଳରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ହିରଣ୍ୟ ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ଜନଶୁଣାଣୀ ଆଗକୁ ବଢ଼ିପାରିନଥିଲା ଏବଂ ପ୍ରଶାସନ ଏହାକୁ ବାତିଲ କରିଥିଲା।
ଏ ସମ୍ପର୍କରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଜନଶୁଣାଣୀ ବାତିଲ କରାଯାଇଛି। ଏ ସମ୍ପର୍କିତ ଭିଡିଓ ଓ ଆବଶ୍ୟକୀୟ କାଗଜପତ୍ର ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।