ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଓ ଜୋରିମାନା

0

 

ବାରିପଦାରୁ ଦିଲ୍ଲୀପ ମହାନ୍ତି -ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍-୨ ସମର ବିଳାସ ବେହେରା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ରାସଗୋବିନ୍ଦପୁର ଥାନା ଝିରାଣି ଗ୍ରାମର ସାବତ ପୁଅ ଦାଶରଥୀ ମୁର୍ମୁ(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୫  ମଇ ୯ ରାତିରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝିରାଣି ଗ୍ରାମର ସମାଏ ମୁର୍ମୁଙ୍କ ସ୍ତ୍ରୀ ଶୁକମଣି ମୁର୍ମୁ(୪୫)ଙ୍କୁ  ତାଙ୍କର ସାବତ ପୁଅ ଦାଶରଥୀ ମୁର୍ମୁ କୌଣସି କାରଣରୁ ପିଟି ପିଟି ଜୀବନରୁ ମାରି ଦେଇଥିଲେ ଏବଂ ପରବର୍ତ୍ତି ଦିନ ଶୁକମଣି ଜ୍ୱରରେ ଆକ୍ରାନ୍ତ ହୋଇ ମରିଯାଇଥିବାକୁ ନେଇ ଏକ କାହାଣୀ ସମସ୍ତଙ୍କ ନିକଟରେ ବଖାଣି ଶବକୁ ମାଟି ତଳେ ପୋତି ଦେଇଥିଲା । ରାସଗୋବିନ୍ଦପୁର ଥାନାର ମହୁଲିଆ ଗ୍ରାମର ଶୁକମଣିର ଭାଇ ଧର୍ମା ହେମ୍ବ୍ରମ(୩୫) ଭିଣୋଇଙ୍କ ଘରକୁ ଯାଇ ଘରକୁ ଫେରି ଆସିବା ସମୟରେ ୨ ଭାଣିଜୀ ଓ ୪ ଭଣଜା ମାନଙ୍କ ମଧରୁ ସାନ ଭାଣିଜୀ ଜାଉନା ମୁର୍ମୁ(୧୦) ଓ ମଙ୍ଗଲି ମୁର୍ମୁ(୧୩) କାନ୍ଦିବାରୁ ସେମାନଙ୍କୁ ସାଥୀରେ ଧରି ମହୁଲିଆକୁ ଫେରି ଆସିଥିଲେ । ସାତ ଦିନ ବିତି ଯିବା ପରେ ସେମାନଙ୍କ ମା ଶୁକମଣି ଜ୍ୱରରେ ମରି ନାହିଁ ତାକୁ ପିଟିପିଟି ମାରି ଦିଆଯାଇଛି ଏବଂ ଏହା କାହାରି ନିକଟରେ ପ୍ରକାଶ ନ କରିବାକୁ ଦାଶରଥୀ ଧମକ ଦେଇଥିବା ବିଷୟ ମାମୁଁ ଧର୍ମାକୁ କହିଥିଲେ । ତେଣୁ ଘଟଣାର ସତ୍ୟତା ଜାଣିବା ପାଇଁ ଧର୍ମା ଝିରାଣି ଗ୍ରାମକୁ ଯାଇ ପାଖ ପଡେ଼ାଶୀମାନଙ୍କୁ ପଚାରିବା ପରେ ଭଉଣୀ ଶୁକମଣିକୁ ହତ୍ୟା କରିଥିବା ଅଭିଯୋଗ ଆଣି ଦାଶରଥୀ ନାମରେ ରାସଗୋବିନ୍ଦପୁର ଥାନାରେ ୧୪/୦୬/୨୦୧୫ରେ ଲିଖିତ ଅଭିଯୋଗ ଆଣିଥିଲେ । ଥାନା ପୁଲିସ ଅଭିଯୁକ୍ତ ଦାଶରଥୀ ନାମରେ କେଶ ନଂ-୫୮/୨୦୧୫ରେ ଏକ ମାମଲା ରୁଜୁ କରିଥିଲେ । ଆଜି ଉକ୍ତ ମାମଲାରେ ରହିଥିବା ୧୩ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ କୁମାର ଦାସ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.