ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସୀମାନ୍ତ ଜିଲ୍ଲା ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆଗାମୀ ସେପ୍ଟେମ୍ବର ୩ ତାରିଖରୁ ଏହି ବାଣିଜ୍ୟିକ ଉଡ଼ାଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଏହାଦ୍ୱାରା ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି।ଏହି ବିମାନ ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ ମାଧ୍ୟମରେ ପରିଚାଳିତ ହେବ। ଏଥିପାଇଁ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ସାଧାରଣ ଜନତା ଏବଂ ଯାତ୍ରୀମାନେ ଘରେ ବସି ନିଜର ସିଟ୍ ବୁକ୍ କରିପାରିବେ। ଏହା ସହିତ ଯାତ୍ରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିମାନବନ୍ଦର ର ରନୱେ ଏବଂ ସୁରକ୍ଷା ବ୍ୟବସ୍ଥାର ଟ୍ରାଏଲ୍ ରନ୍ ମଧ୍ୟ ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମାଲକାନଗିରି ରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେବା ଯାହା ଜିଲ୍ଲା ପାଇଁ ଏକ ଐତିହାସିକ ସଫଳତା। ଏହା କେବଳ ଯାତ୍ରୀମାନଙ୍କ ସମୟ ବଞ୍ଚାଇବ ନାହିଁ, ବରଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଂଯୋଗ, ପର୍ଯ୍ୟଟନର ବିକାଶ ଏବଂ ଆର୍ଥିକ ପ୍ରଗତିର ଏକ ନୂତନ ଦିଗ ଉନ୍ମୋଚନ କରିବ। ଯାତ୍ରୀମାନେ ସହଜରେ ଅନଲାଇନ୍ ମାଧ୍ୟମରେ ନିଜର ଟିକେଟ୍ ବୁକ୍ କରି ଏହି ସେବାର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଏହି ନୂତନ ବିମାନ ସେବା ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟାପକ ସୁଧାର ଆସିବ ବୋଲି ଆଶା କରାଯାଉଛି।
Sign in
Sign in
Recover your password.
A password will be e-mailed to you.