ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମେଳନ କକ୍ଷ-୨ ଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ପକ୍ଷରୁ ଅରୁଣା ଏନ ଜି ଓ , ର ସହଯୋଗରେ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦିବ୍ୟାଙ୍ଗ ଶିଶୁମାନଙ୍କର ଅଧିକାର , ଆବଶ୍ୟକତା ଏବଂ ଉପଲବ୍ଧ ସହାୟତାମୂଳକ ସେବା ସମ୍ପର୍କରେ ଶିଶୁ ସୁରକ୍ଷା ବ୍ୟବସ୍ଥା ସହ ଜଡିତ କର୍ମଚାରୀମାନଙ୍କର ବୁଝାମଣାକୁ ସୁଦୃଢ଼ କରିବା।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଉତ୍ସର୍ଗିତା ବଡ଼ରଇତ , ଗଜପତିଙ୍କ ଦ୍ୱାରା କରାଯାଇଥିଲା। ସେ ଦିବ୍ୟାଙ୍ଗଜନଙ୍କ ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା , ପଦକ୍ଷେପ ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଏସ ଏସ ଇ ପି ଡି ବିଭାଗର ଭୂମିକା ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ସୁଶ୍ରୀ ସୁସ୍ମିତା ଭୋଇ , ସିଆରଏସ୍ ଇଣ୍ଡିଆ , ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ।
ଶ୍ରୀ ମନତୋଷ ବେହେରା , ଅଧ୍ୟକ୍ଷ , ଓପନ ଲେର୍ଣିଂ ସିଷ୍ଟମ୍ , ସାଧନ ବ୍ୟକ୍ତି ଭାବେ ଯୋଗଦେଇ ରାଇଟ୍ସ ଅଫ ପର୍ସନ ୱିଥ Disabilities (RPwD) Act, 2016, ବିଭିନ୍ନ ସରକାରୀ ଯୋଜନା , ଅଧିକାର ଓ ସୁବିଧା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଶ୍ରୀ ବିଭୂତି ଭୂଷଣ ନନ୍ଦ , ବରିଷ୍ଠ ସ୍ୱତନ୍ତ୍ର ଶିକ୍ଷକ , ଓପନ ଲେର୍ଣିଂ ସିଷ୍ଟମ୍ , ଦିବ୍ୟାଙ୍ଗ ଶିଶୁମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିବନ୍ଧକତା ବିଷୟରେ ବୁଝାଇବା ସହ ଶୀଘ୍ର ଚିହ୍ନଟ, ରେଫରାଲ୍ ଏବଂ ପ୍ରାରମ୍ଭିକ ହସ୍ତକ୍ଷେପ ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
ସମାପନୀ ଅଭିଭାଷଣରେ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଗଜପତି , ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସମାବେଶୀ ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସେ ପ୍ରଶିକ୍ଷଣର ମୁଖ୍ୟ ନିଷ୍କର୍ଷ ଓ ଶିକ୍ଷଣୀୟ ବିଷୟଗୁଡ଼ିକର ସାରାଂଶ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅମିୟ ତ୍ରିପାଠୀ ତଥା ଶିଶୁ ମଙ୍ଗଳ ସମିତିର ଅନ୍ୟ ସଦସ୍ୟ/ସଦସ୍ୟା , ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ , ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ , ମହିଳା ହେଲ୍ପଲାଇନ୍ ସଦସ୍ୟ , ଚାଇଲ୍ଡ ହେଲ୍ପଲାଇନ୍ ସଦସ୍ୟ , ୱାନ୍ ଷ୍ଟପ୍ ସେଣ୍ଟରର ସଦସ୍ୟ , ସି ସି ଡ଼ି ଏବଂ ବିଭିନ୍ନ ସ୍ବେଚ୍ଛାସେବର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ଅଧିବେଶନକୁ ଶ୍ରୀ ସାଇ ପ୍ରସାଦ ସାମଲ , ଜିଲ୍ଲା ପରାମର୍ଶଦାତା , ଅରୁଣା , ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post