୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ ୨୦୨୬: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର ଆଥଲେଟ୍ ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ

45


ପୁରୀ/ଭୁବନେଶ୍ୱର, ଅକ୍ଟୋବର ୨୩, ୨୦୨୬: ପୁରୀର ଜିଲ୍ଲା କ୍ରୀଡ଼ା ପରିସର ଖୋ ଖୋ ଏକାଡେମୀରେ ଅନୁଷ୍ଠିତ ୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ (ବାଳକ ଓ ବାଳିକା) ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସି)ର ଆଥଲେଟ୍ ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଜିଲ୍ଲା ଓ ଅନୁଷ୍ଠାନ ଦଳଗୁଡ଼ିକର ପ୍ରତିନିଧିତ୍ୱ କରି ଖେଳାଳିମାନେ ଚାମ୍ପିୟନସିପ୍ ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିବା ସହ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ସମ୍ମାନ ହାସଲ କରିଥିଲେ।
ବରିଷ୍ଠ ବାଳକ ବର୍ଗରେ ପୁରୀ ଚାମ୍ପିୟନ ହୋଇଥିବାବେଳେ, ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସିର ଖେଳାଳି ଶିବ ଗୁଣ୍ଟା, ଶୁଭମ ବିଶ୍ୱାଳ, ଆଦିତ୍ୟ ଦାସ ଓ ସୌମ୍ୟ ରଞ୍ଜନ ସ୍ୱାଇଁ ଦଳର ଟାଇଟଲ୍ ବିଜୟ ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ସଫଳତାକୁ ଆହୁରି ସୁଦୃଢ଼ କରି ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସିର ଶିବ ଗୁଣ୍ଟା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଆଟାକର ଭାବେ ବିବେଚିତ ହୋଇଥିଲେ।
ବରିଷ୍ଠ ବାଳିକା ବର୍ଗରେ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ ଡ୍ର’ରେ ଶେଷ ହେବା ପରେ କିସ୍ ବିଶ୍ୱବିଦ୍ୟାଳୟ ଓ ବାଲେଶ୍ୱରକୁ ଯୁଗ୍ମ ଚାମ୍ପିୟନ ଘୋଷଣା କରାଯାଇଥିଲା। ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସିର ଖେଳାଳି କାଦମ୍ବିନୀ ମାଝୀ, ଶୁଭଶ୍ରୀ ସିଂ, ସବିତା ମୁର୍ମୁ, ଦୁର୍ଗାସିନୀ ମାଝୀ, ଲିସାରାଣୀ ରାଇତା, ଶୁଭଶ୍ରୀ ମଲ୍ଲିକ, ଆଶିକା କୁଜୁର, ଚିନ୍ମୟୀ ପ୍ରଧାନ ଓ ରକ୍ତିମା ଭଣ୍ଡା କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାବେଳେ, ରଞ୍ଜିତା ବାରିକ ବାଲେଶ୍ୱର ପକ୍ଷରୁ ଖେଳିଥିଲେ। ଏହା ସହିତ, ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସିର ଆଥଲେଟ୍ ମାନେ ବ୍ୟକ୍ତିଗତ ବର୍ଗରେ ମଧ୍ୟ ପ୍ରମୁଖ ସମ୍ମାନ ହାସଲ କରିଥିଲେ। ଶୁଭଶ୍ରୀ ସିଂ ଶ୍ରେଷ୍ଠ ଆଟାକର ଏବଂ ରଞ୍ଜିତା ବାରିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।


ଏହି ଚାମ୍ପିୟନସିପ୍‌ରେ ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଖୋ ଖୋ ଆସୋସିଏସନ୍ ଏବଂ ରାଜ୍ୟ କ୍ରୀଡ଼ା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ।
ଆଥଲେଟ୍ ମାନଙ୍କୁ ଅଭିନନ୍ଦନ ଜଣାଇ ଏଏମ୍/ଏନ୍ଏସ୍ ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି “୫୬ତମ ଓଡ଼ିଶା ରାଜ୍ୟ ବରିଷ୍ଠ ଚାମ୍ପିୟନସିପ୍‌ରେ ଆମ ଖେଳାଳିମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ ଶୃଙ୍ଖଳା, ନିଷ୍ଠା ଏବଂ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରରେ ପ୍ରଦାନ କରାଯାଉଥିବା ସଂଗଠିତ ପ୍ରଶିକ୍ଷଣକୁ ପ୍ରତିଫଳିତ କରୁଛି। ଦଳଗତ ଓ ବ୍ୟକ୍ତିଗତ ବର୍ଗରେ ସେମାନଙ୍କ ସଫଳତା କ୍ରୀଡ଼ା ପ୍ରତିଭାର ବିକାଶ ଏବଂ ଖୋ ଖୋ କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବାର ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃପ୍ରମାଣିତ କରୁଛି।”
ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚପିସି ଉତ୍କର୍ଷତାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ ହୋଇଛି। ଏଠାରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ, ବୈଜ୍ଞାନିକ ସହାୟତା ଏବଂ ଏକ ବୃତ୍ତିଗତ ପ୍ରଶିକ୍ଷଣ ବ୍ୟବସ୍ଥା ଯୋଗାଇ ଦିଆଯାଉଛି, ଯାହା ଖେଳାଳିମାନଙ୍କୁ ରାଜ୍ୟ, ଆଞ୍ଚଳିକ ଓ ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଉତ୍କୃଷ୍ଟ ପ୍ରଦର୍ଶନ ହାସଲ କରିବାକୁ ସକ୍ଷମ କରୁଛି।

Leave A Reply

Your email address will not be published.