ଭୁବନେଶ୍ୱର, ଅଗଷ୍ଟ ୨୨: ନବଜାତ ଶିଶୁଙ୍କ ଜଟିଳ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ । ଗୁରୁତର ହୃତପିଣ୍ଡ ବିଫଳତା, ମ୍ୟୋକାର୍ଡାଇଟିସ୍, କାର୍ଡିଓଜେନିକ୍ ଶକ୍, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍ (ଏଚ୍ଏଲ୍ଏଚ୍) ସହ ଜଡ଼ିତ ଅତ୍ୟଧିକ ପ୍ରଦାହଜନିତ ପ୍ରତିକ୍ରିୟାରେ ପୀଡ଼ିତ ଜଣେ ନବଜାତ ଶିଶୁକୁ ଚିକିତ୍ସା କରି ସୁସ୍ଥ କରିବାରେ ସମ୍ମମ୍ ଡାକ୍ତରମାନେ ସଫଳ ହୋଇଛନ୍ତି ।
ଜନ୍ମ ସମୟରେ ସଂପୂର୍ଣ୍ଣ ସୁସ୍ଥ ଦେଖାଯାଉଥିବା ଏହି ଶିଶୁ କନ୍ୟାଟି କ୍ଷେତ୍ରରେ ମାତ୍ର ୧୩ ଦିନରେ ଅତ୍ୟଧିକ କାନ୍ଦିବା, ଅସ୍ଥିରତା ଏବଂ ସ୍ତନପାନ ନ କରିପାରିବା ଭଳି ଲକ୍ଷଣ ଦେଖାଇଥିଲା । ତେଣୁ ତା’ର ଉନ୍ନତ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଅଣାଯାଇଥିଲା ।
ହସ୍ପିଟାଲରେ ଭର୍ତି ସମୟରେ ଶିଶୁଟି ଗୁରୁତର ହୃଦଜନିତ ସଙ୍କଟରେ ଥିବା ଜଣାପଡ଼ିଥିଲା । ପରବର୍ତୀ ସମୟରେ ତା’ର କାର୍ଡିଓଜେନିକ୍ ଶକ୍ ହେବାରୁ ଭେଂଟିଲେଟର ଏବଂ ହୃଦ୍କାର୍ଯ୍ୟକୁ ସମର୍ଥନ ଦେବା ପାଇଁ ଉନ୍ନତ ଧରଣର ଚିକିତ୍ସା ଆବଶ୍ୟକ ହୋଇଥିଲା । ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ହୃଦୟ ଉପରେ ଥିବା ଅତ୍ୟଧିକ ଚାପର ସ୍ପଷ୍ଟ ପ୍ରମାଣ ମିଳିଥିଲା । ହୃଦଜନିତ ଚାପର ଏକ ପ୍ରମୁଖ ସୂଚକ ଏନ୍ପି-ପ୍ରୋବିଏନ୍ପି ସ୍ତର ସାଧାରଣତଃ ପ୍ରାୟ ୧୨୫ ଥିବା ବେଳେ ୩୫,୦୦୦ରୁ ଅଧିକ ହୋଇଯାଇଥିଲା । ସେହିପରି ଗୁରୁତର ପ୍ରଦାହର ସୂଚକ ସିରମ୍ ଫେରିଟିନ୍ ସ୍ତର ସାଧାରଣତଃ ପ୍ରାୟ ୧୫୦ ଏନଜି /ଏମ୍ଏଲ୍ ଥିବା ବେଳେ ୧,୦୦,୦୦୦ ଏନଜି /ଏମ୍ଏଲ୍ ଅଧିକ ଦେଖାଦେଇଥିଲା ।
ଚିକିତ୍ସକମାନଙ୍କ ଅନୁସାରେ, ଏହା ଏକ “ବିରଳରୁ ବିରଳତମ” ନବଜାତ ମାମଲା, ଯେଉଁଥିରେ ଅଳ୍ପ ସମୟ ମଧ୍ୟରେ ଶିଶୁର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇଥିଲା । ଶିଶୁଟିକୁ ମେକାନିକାଲ୍ ଭେଂଟିଲେସନ୍, ହୃଦ୍କାର୍ଯ୍ୟ ସମର୍ଥନ ପାଇଁ ଔଷଧ, ମ୍ୟୋକାର୍ଡାଇଟିସର ଚିକିତ୍ସା ଏବଂ ଗୁରୁତର ପ୍ରଦାହଜନିତ ପ୍ରତିକ୍ରିୟାର ନିୟନ୍ତ୍ରଣ ଭଳି ବିଭିନ୍ନ ଚିକିତ୍ସା ଦିଆଯାଇଥିଲା ।
ବହୁବିଭାଗୀୟ ଚିକିତ୍ସା ଏବଂ ନିରନ୍ତର ନିରୀକ୍ଷଣ ପରେ ଶିଶୁଟିର ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିଥିଲା । ଏହା ପରେ ଧୀରେ ଧୀରେ ଶିଶୁଟି ସୁସ୍ଥ ହେବା ପରେ ଭେଂଟିଲେଟରରୁ ବାହାର କରାଯାଇଥିଲା ଏବଂ ଧୀରେ ଧୀରେ ସେ ମୁଖ୍ୟ ଖାଦ୍ୟ ଗ୍ରହଣ କରିବାକୁ ସକ୍ଷମ ହୋଇଥିଲା । ବର୍ତମାନ ଶିଶୁଟି କୌଣସି ସହାୟତା ବିନା ସ୍ୱାଭାବିକ ଭାବେ ଶ୍ୱାସପ୍ରଶ୍ୱାସ ଗ୍ରହଣ କରୁଛି ଏବଂ ତା’ର ସ୍ୱାସ୍ଥ୍ୟ ସ୍ଥିର ରହିଛି ।
ଏହି ମାମଲାକୁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସମ୍ ଅଲ୍ଟିମେଟ୍ ମେଡିକେୟାରର ଶିଶୁରୋଗ ଓ ନବଜାତ ଶିଶୁରୋଗ ବିଭାଗର ସିନିୟର କନ୍ସଂଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି ଯେ ଶିଶୁଟି ପ୍ରାରମ୍ଭରେ ସୁସ୍ଥ ଦେଖାଯାଉଥିଲା । କିନ୍ତୁ ଜନ୍ମର ଦୁଇ ସପ୍ତାହ ମଧ୍ୟରେ ତା’ର ହୃଦକାର୍ଯ୍ୟ ଗୁରୁତର ଭାବେ ବିଫଳ ହେବା ସହ ଶକ୍, ଯକୃତର କ୍ଷତି ଏବଂ ଅତ୍ୟଧିକ ପ୍ରଦାହଜନିତ ପ୍ରତିକ୍ରିୟା ଦେଖାଦେଇଥିଲା ।
“ସମୟୋଚିତ ଭାବେ ରୋଗ ଚିହ୍ନଟ, ତୁରନ୍ତ ଆକ୍ରମଣାତ୍ମକ ସହାୟକ ଚିକିତ୍ସା ଏବଂ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଏହି ଶିଶୁର ଜୀବନ ରକ୍ଷାରେ ମୁଖ୍ୟ ଭୂମିକା ନେଇଥିଲା । ବର୍ତମାନ ଶିଶୁଟି ସ୍ଥିର ରହିବା, ଭଲ ଭାବେ ଖାଦ୍ୟ ଗ୍ରହଣ କରିବା ଏବଂ ଓଜନ ବଢ଼ାଇବା ଅତ୍ୟନ୍ତ ଉତ୍ସାହଜନକ,” ବୋଲି ସେ କହିଛନ୍ତି ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି, “ଏହି ମାମଲା ଉନ୍ନତ ନବଜାତ ଶିଶୁ ଗୁରୁତର ଚିକିତ୍ସା, ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ସମନ୍ୱିତ ଟିମ୍ୱର୍କର ଗୁରୁତ୍ୱକୁ ପ୍ରମାଣିତ କରିଛି । ଏକ ଗୁରୁତର ଅସୁସ୍ଥ ନବଜାତ ଶିଶୁର ଏକାସାଙ୍ଗରେ ହୃଦୟ, ଯକୃତ ଏବଂ ପ୍ରତିରୋଧକ ପ୍ରଣାଳୀ ପ୍ରଭାବିତ ହେଲେ ବିଭିନ୍ନ ବିଶେଷଜ୍ଞତାର ସମନ୍ୱିତ ଦକ୍ଷତା ଆବଶ୍ୟକ ହୋଇଥାଏ । ଶିଶୁଟି ସୁସ୍ଥ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହାର ଚିକିତ୍ସାରେ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରିଥିବା ଟିମ୍ ପାଇଁ ଗର୍ବିତ ।”
ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି, “ଏଭଳି ମାମଲା ଏକ ଛାତ ତଳେ ଉନ୍ନତ ଚିକିତ୍ସା ସୁବିଧା ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ କାର୍ଯ୍ୟର ଗୁରୁତ୍ୱକୁ ପ୍ରତିପାଦିତ କରେ । ଗୁରୁତର ଅବସ୍ଥାରେ ଥିବା ଏହି ନବଜାତ ଶିଶୁର ସଫଳ ଚିକିତ୍ସା ଆମ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉଚ୍ଚମାନର ଚିକିତ୍ସା ପ୍ରଦାନ ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ । ବିଶେଷକରି ଯେଉଁ ପରିସ୍ଥିତିରେ ପ୍ରତ୍ୟେକ ମୁହୂର୍ତ ଗୁରୁତ୍ୱପୂର୍ଣ୍ଣ, ସେଠାରେ ଏଭଳି ସମନ୍ୱିତ ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ।”
ଏହି ସଫଳ ଚିକିତ୍ସା ସମ୍ ଅଲ୍ଟିମେଟ୍ ମେଡିକେୟାରର ନିଓନାଟାଲ୍ ଓ କ୍ରିଟିକାଲ୍ କେୟାର ସେବାର ଦକ୍ଷତାକୁ ପ୍ରତିପାଦିତ କରିଛି । ଉନ୍ନତ ମନିଟରିଂ, ବିଭିନ୍ନ ଅଙ୍ଗକୁ ସହାୟତା ଏବଂ ବହୁବିଭାଗୀୟ ଚିକିତ୍ସା ଆବଶ୍ୟକ କରୁଥିବା ଜଟିଳ ସମସ୍ୟାର ସଫଳ ପରିଚାଳନାରେ ହସ୍ପିଟାଲର କ୍ଷମତା ଏହି ଘଟଣା ମାଧ୍ୟମରେ ପ୍ରମାଣିତ ହୋଇଛି ।
Sign in
Sign in
Recover your password.
A password will be e-mailed to you.