ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ ବାବୁଲା ସାହୁ

5


ବେଲଗୁଣ୍ଠା-୨୧/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ହାଟପଦା ସ୍ଥିତ ନାରାୟଣୀ ମେଡିକାଲ ଷ୍ଟୋର ସାମ୍ନାରେ ହଜିଯାଇଥିବା ଦୁଇ ଭରି ଓଜନର ଏକ ସୁନା ମଙ୍ଗଳସୂତ୍ରକୁ ଜଣେ ମହିଳା ଫେରିପାଇଛନ୍ତି। ଔଷଧ ଦୋକାନୀ ବାବୁଲା ସାହୁଙ୍କ ଏହି ବଦାନ୍ୟତା ଏବଂ ସାଧୁତା ପାଇଁ ଅଞ୍ଚଳରେ ତାଙ୍କୁ ବ୍ୟାପକ ପ୍ରଶଂସା କରାଯାଉଛି।
ଘଟଣାରୁ ପ୍ରକାଶ ଯେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ଭାଲିଆପଲ୍ଲୀ ଗ୍ରାମର ସନ୍ୟାସୀ ସ୍ୱାଇଁଙ୍କ ପତ୍ନୀ ତୁଳାବତୀ ସ୍ୱାଇଁ କୌଣସି କାମରେ ବୁଧବାର ଦିନ ବେଲଗୁଣ୍ଠା ଆସିଥିଲେ। ହାଟପଦା ସ୍ଥିତ ନାରାୟଣୀ ମେଡିକାଲ ଷ୍ଟୋର ସାମ୍ନା ରାସ୍ତାରେ ତାଙ୍କର ଦୁଇ ଭରି ଓଜନର ସୁନା ମଙ୍ଗଳସୂତ୍ରଟି କୌଣସି କାରଣରୁ ଖସି ପଡି ହଜିଯାଇଥିଲା।ତେବେ ଉକ୍ତ ସୁନା ଅଳଙ୍କାରଟିକୁ ନାରାୟଣୀ ମେଡିକାଲ ଷ୍ଟୋରର ମାଲିକ ବାବୁଲା ସାହୁ ପାଇଥିଲେ।ସେ ତୁରନ୍ତ ନିଜ ସାଧୁତାର ପରିଚୟ ଦେଇ ଉପଯୁକ୍ତ ମାଲିକଙ୍କୁ ଖୋଜିବା ପାଇଁ ବେଲଗୁଣ୍ଠା ପୋଲିସର ସହାୟତା ଲୋଡିଥିଲେ। ପୋଲିସ ସହାୟତାରେ ପ୍ରକୃତ ମାଲିକଙ୍କ ସନ୍ଧାନ ମିଳିବା ପରେ, ଆଜି ବେଲଗୁଣ୍ଠା ପୋଲିସ ଉପସ୍ଥିତିରେ ବାବୁଲା ଉକ୍ତ ମଙ୍ଗଳସୂତ୍ରଟିକୁ ତୁଳାବତୀଙ୍କୁ ହସ୍ତାନ୍ତର କରିଛନ୍ତି। ନିଜର ହଜିଯାଇଥିବା ମୂଲ୍ୟବାନ ଅଳଙ୍କାର ଅକ୍ଷତ ଅବସ୍ଥାରେ ଫେରିପାଇବା ପରେ ତୁଳାବତୀ ଏବଂ ତାଙ୍କ ପରିବାର ବାବୁଲାଙ୍କ ଏହି ମହାନତା ପାଇଁ ତାଙ୍କୁ କୃତଜ୍ଞତା ସହ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.