ଭୁବନେଶ୍ୱର, ଅଗଷ୍ଟ ୧୮: ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ୍, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ । ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍’ ବିଳମ୍ବନ ଅର୍ଥାତ୍ କାର୍ଯ୍ୟକୁ ଟାଳିବାର ଅଭ୍ୟାସ ଉପରେ ଆଧାରିତ ।
ଅଗଷ୍ଟ ୧୫ ତାରିଖରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଶ୍ରେୟାଶୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ ।
ସରଳ ଓ ଚିନ୍ତନଶୀଳ ଶୈଳୀରେ ଲିଖିତ ଏହି ପୁସ୍ତକରେ କାମ, ନିଷ୍ପତି ଓ ସ୍ୱପ୍ନକୁ ‘ପରେ କରିବା’ ନୀତିରେ ଟାଳିବାର ପ୍ରବୃତି ସଂପର୍କରେ ଆଲୋକପାତ କରାଯାଇଛି । ପ୍ରୋକ୍ରାଷ୍ଟିନେସନ୍ କେବଳ ଅଳସୁଆପଣ ନୁହେଁ, ବରଂ ଭୟ, ଅନିଶ୍ଚିତତା, ସବୁକିଛି ଠିକ୍ କରିବାର ଚାପ ଏବଂ ସ୍ୱପ୍ନକୁ ଅନ୍ୟ ଏକ ଦିନ ନିମନ୍ତେ ରଖି ଦେବା ଭଳି ମାନବୀୟ ଭାବନା ସହ ଜଡିତ ବୋଲି ପୁସ୍ତକରେ ଦର୍ଶାଯାଇଛି ।
ଛାତ୍ରଛାତ୍ରୀ ଓ ଯୁବ ସ୍ୱପ୍ନଦ୍ରଷ୍ଟାଙ୍କ ପାଇଁ ଏହି ପୁସ୍ତକର ମୁଖ୍ୟ ବାର୍ତା ହେଉଛି ଜୀବନରେ କିଛି ଆରମ୍ଭ କରିବା ପାଇଁ ସବୁ କିଛି ସଂପୂର୍ଣ୍ଣ ହେବା ଆବଶ୍ୟକ ନୁହେଁ ବରଂ ପ୍ରଥମ ପଦକ୍ଷେପ ନେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ଶ୍ରେୟାଶୀ ପାଠପଢ଼ା ସହ ଚିତ୍ରକଳା ଓ ନୃତ୍ୟକୁ ମଧ୍ୟ ଭଲ ପାଆନ୍ତି । ଦୈନନ୍ଦିନ ଜୀବନର ଛୋଟ ଛୋଟ ଘଟଣା ମଧ୍ୟରେ କାହାଣୀ ଖୋଜିବା ତାଙ୍କର ବିଶେଷ ରୁଚି । ତାଙ୍କର ଏହି ଉତ୍ସୁକତା ଓ ପର୍ଯ୍ୟବେକ୍ଷଣ ଶକ୍ତି ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଛି ।
ଶ୍ରେୟାଶୀ ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୋଭନ ପଟ୍ଟନାୟକ ଏବଂ ସମ ହସ୍ପିଟାଲ୍ର ଫାର୍ମାସି ବିଭାଗର ମୁଖ୍ୟ ଡକ୍ଟର ଜସ୍ମିନ ପଣ୍ଡାଙ୍କ କନ୍ୟା ।
ଏତେ କମ୍ ବୟସରେ ଶ୍ରେୟାଶୀଙ୍କ ଏହି ସଫଳତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, କଳ୍ପନା ଶକ୍ତି ଓ ସାହିତ୍ୟିକ ପ୍ରତିଭାର ବିକାଶ ସହ ନିଜ ଚିନ୍ତାଧାରାକୁ ଆତ୍ମବିଶ୍ୱାସର ସହ ପ୍ରକାଶ କରିବାର କଳାକୁ ପ୍ରତିଫଳିତ କରୁଛି ।
Sign in
Sign in
Recover your password.
A password will be e-mailed to you.