ଭୁବନେଶ୍ୱର, ଅଗଷ୍ଟ ୧୮: କ୍ରିଟିକାଲ୍ କେୟାର୍ ମେଡିସିନ୍ କ୍ଷେତ୍ରରେ ଦୀର୍ଘ ପାଂଚ ଦଶନ୍ଧିର ଅବଦାନ ଓ ସେବା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିନିୟର କନସଲଟାଂଟ (କ୍ରିଟିକାଲ୍ କେୟାର ମେଡିସିନ୍) ଡାକ୍ତର ବାନାମ୍ବର ରାୟଙ୍କୁ ସମ୍ମାନଜନକ ‘ଅନରିଙ୍ଗ ଆୱାର ଗୁରୁ’ ପୁରସ୍କାର ପ୍ରଦାନ କରାଯାଇଛି ।
ଅଗଷ୍ଟ ୮ ତାରିଖରେ ପୁଣେ ଠାରେ ଅନୁଷ୍ଠିତ ତୃତୀୟ ଇଂଟରନ୍ୟାସନାଲ୍ କ୍ରିଟିକାଲ୍ କେୟାର ନେଫ୍ରୋଲୋଜି ଆସୋସିଏସନ୍ (ସିସିଏନ୍ଏ) ସମ୍ମିଳନୀରେ ଡାକ୍ତର ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଓ ଜୀବନ ରକ୍ଷା କ୍ଷେତ୍ରରେ ତାଙ୍କର ଦୀଘର୍କାଳୀନ ସମର୍ପଣ ଓ ନିଷ୍ଠାକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ସମ୍ମାନ ପାଇବା ପରେ ନିଜର ଅନୁଭୂତି ବ୍ୟକ୍ତ କରି ଡାକ୍ତର ରାୟ କହିଛନ୍ତି ଯେ ଯେଉଁ ସଂଗଠନ ସହିତ ତାଙ୍କର ପ୍ରତ୍ୟକ୍ଷ ସଂପର୍କ ନଥିଲା, ସେହି ସଂଗଠନ ପକ୍ଷରୁ ଏଭଳି ସମ୍ମାନ ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଆଇସିୟୁରେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଆଜୀବନ ସମର୍ପଣକୁ ସ୍ୱୀକୃତି ମିଳିଥିବାରୁ ସେ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରିଛନ୍ତି ।
“ଯେଉଁ ସଂଗଠନ ସହିତ ମୋର କୌଣସି ପ୍ରତ୍ୟକ୍ଷ ସଂର୍ପକ ନଥିଲା, ସେହି ସଂଗଠନଠାରୁ ଏହି ସମ୍ମାନ ପାଇ ମୁଁ ଅତ୍ୟନ୍ତ ଗୌରବାନ୍ୱିତ । ଆଇସିୟୁରେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ମୋର ଆଜୀବନ ସମର୍ପଣ ଓ ପ୍ରତିବଦ୍ଧତା ବିଷୟରେ ସେମାନେ ଜାଣିଥିବାରୁ ଏହି ସ୍ୱୀକୃତି ମୋ ପାଇଁ ଅତ୍ୟନ୍ତ ନମ୍ରତାର ବିଷୟ,” ଡାକ୍ତର ରାୟ କହିଛନ୍ତି ।
ସେ ଏହି ସମ୍ମାନକୁ ତାଙ୍କର ପାଂଚ ଦଶନ୍ଧିର ସେବା ଯାତ୍ରାରେ ସାଥୀ ହୋଇଥିବା ଅସଂଖ୍ୟ ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଙ୍କୁ ଉତ୍ସର୍ଗ କରିଛନ୍ତି ।
ଡାକ୍ତର ରାୟ ସମ୍ ଅଲ୍ଟିମେଟ୍ ମେଡିକେୟାର ଏବଂ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଅ) ଡିମ୍ଡ୍ ଟୁ ବି ୟୁନିଭର୍ସିଟି ପକ୍ଷରୁ ମିଳିଥିବା ନିରନ୍ତର ସମର୍ଥନ ଓ ପ୍ରୋତ୍ସାହନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଗୁରୁତର ରୋଗୀଙ୍କୁ ସର୍ବୋତମ ଚିକିତ୍ସା ପ୍ରଦାନ କରିବା ତାଙ୍କ ମିଶନ୍ରେ ଏହି ଦୁଇ ସଂସ୍ଥାର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
“ସମ୍ ଅଲ୍ଟିମେଟ୍ ମେଡିକେୟାର ଏବଂ ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି ମୋର ଏହି ମିଶନ୍ରେ ସର୍ବୋତମ ପ୍ରୟାସ କରିବା ପାଇଁ ମୋତେ ସମସ୍ତ ପ୍ରକାରର ସମର୍ଥନ ଦେଇଛନ୍ତି । ତେଣୁ ଏହି ପୁରସ୍କାରରେ ମଧ୍ୟ ମୁଁ ସେମାନଙ୍କର ଅବଦାନର ଛାପ ଦେଖୁଛି” ବୋଲି ସେ କହିଛନ୍ତି ।
ଏହି ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ ଡାକ୍ତର ରାୟଙ୍କ ପାଂଚ ଦଶନ୍ଧିର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗରେ ସେବା, ଜୀବନ ରକ୍ଷା ପ୍ରତି ଅତୁଟ ପ୍ରତିବଦ୍ଧତା ଏବଂ ଗୁରୁତର ରୋଗୀଙ୍କ ସେବା ପ୍ରତି ତାଙ୍କର ନିଷ୍ଠାର ଏକ ଗୌରବମୟ ସ୍ୱୀକୃତି ।
Sign in
Sign in
Recover your password.
A password will be e-mailed to you.