୨୧ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ଉତ୍ସବ

59


ଭୁବନେଶ୍ୱର: ଚଳିତ ମାସ ୨୧ ତାରିଖ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ହରି ବାବୁ କମ୍ଭମପାଟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।
      ପୁରାତନ ଛାତ୍ରସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ୨୧ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଦିନ ସକାଳ ଆଠଟାରେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଏବଂ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ପରେପରେ  ଗାନ୍ଧୀ ଶାନ୍ତି ସ୍ଥଳ ସମ୍ମୁଖରୁ କ୍ୟାମ୍ପସ ପରିକ୍ରମା ଆରମ୍ଭ କରାଯିବ।
   ଅପରାହ୍ଣ ୫ଟାରେ କନଭୋକେସନ ହଲରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିରେ ପୂର୍ବତନ ସିଏଜି ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେହିପରି ପୁରାତନ ଛାତ୍ର ତଥା ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ବ, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ମୁଖ୍ୟବକ୍ତା ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଶ୍ବବିଦ୍ୟାଳୟର ଚାରିଜଣ ପ୍ରସିଦ୍ଧ ପୁରାତନ ଛାତ୍ରଛାତ୍ରୀ ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ମୁର୍ମୁ, ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ କୁଙ୍କୁମ ମହାନ୍ତି,  ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତିଙ୍କୁ ସମ୍ମାନିତ କରାଯିବ। ସମାରୋହରେ ପୁରାତନ ଛାତ୍ରସଂଘର ସଭାପତି ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ୍ ମହାନ୍ତି ସଭାପତିତ୍ବ କରିବେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନର  ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗ ଦେବାକୁ ସାଧାରଣ ସମ୍ପାଦକ ଶ୍ରୀ ଦାସ ଅନୁରୋଧ କରିଛନ୍ତି।
 

Leave A Reply

Your email address will not be published.