ଶରଣକୁଳ ଲଡୁକେଶ୍ୱର ପୀଠରେ ୭୬୨୨ କାଉଡ଼ିଆଙ୍କ ଜଳଲାଗି

17

ଦୂତୀକେଶ୍ୱରଙ୍କ ପୀଠରେ ଜଳଲାଗି କଲେ ୧୮ ଶହ କାଉଡ଼ିଆ

ଓଡ଼ଗାଁ, ୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ତୃତୀୟ ସୋମବାର ଓ ସଙ୍କ୍ରାନ୍ତି ତିଥି ଅବସରରେ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶରଣକୁଳ ଲଡୁକେଶ୍ୱର ମହାଦେବଙ୍କ ପୀଠରେ ୭ ହଜାର ୬୨୨ ଜଣ କାଉଡ଼ିଆ ଜଳଲାଗି କରିଛନ୍ତି। ସେହିପରି ଓଡ଼ଗାଁ ନିକଟ ଜାମୁପାଟଣାସ୍ଥିତ ଶୂଳିଆର ଶୂଳପାଣି ବାବା ଦୂତୀକେଶ୍ୱରଙ୍କ ପୀଠରେ ପ୍ରାୟ ୧୮ ଶହ ମାନସିକଧାରୀ କାଉଡ଼ିଆ ଜଳଲାଗି କରିଥିଲେ। ଲଡୁକେଶ୍ୱର ମହାଦେବଙ୍କ ପୀଠରେ ସକାଳ ୧୦ଟା ପର୍ଯ୍ୟନ୍ତ ଜଳଲାଗି ସ୍ଥଗିତ ରହିଥିଲା। ଠାକୁରଙ୍କ ଦୈନିକ ନୀତିକାନ୍ତି ସମ୍ପନ୍ନ ହେବା ପରେ ପୁନର୍ବାର ଜଳଲାଗି ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟାରେ ଠାକୁରଙ୍କ ପହୁଡ଼ ପଡ଼ିଥିଲା। ଏହି ଅବସରରେ କଟକ ଖପୁରିଆ ପ୍ରେସ୍ ଛକସ୍ଥିତ ବାବାମଣି ବୋଲ୍‌ବମ୍ ସେବା ସଂଘ ପକ୍ଷରୁ ଶରଣକୁଳ ଲଡୁକେଶ୍ୱର ପୀଠରେ କାଉଡ଼ିଆଙ୍କ ପାଇଁ ସେବା ଶିବିର ଆୟୋଜିତ ହୋଇଥିଲା। ବିଭିନ୍ନ ଜଳାଶୟରୁ କାନ୍ଧରେ କାଉଡ଼ି ଭାର ନେଇ ଆସିଥିବା ହଜାର ହଜାର କାଉଡ଼ିଆଙ୍କୁ ସଂଘର ସଦସ୍ୟମାନେ ସେବା ଯୋଗାଇବା ସହ ପ୍ରସାଦ ବଣ୍ଟନ କରିଥିଲେ। ଶିବିରରେ ବାରାଣସୀର କଣ୍ଠଶିଳ୍ପୀ ହରିଶର୍ମା ଓ ଓଡ଼ିଶାର ବିଭୂ ମିଶ୍ରଙ୍କ ଭଜନ ପରିବେଷଣ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସଂଘର ସଭାପତି ଦିବ୍ୟସିଂହ ପରିଡ଼ା ଓ ସମ୍ପାଦକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ରାମଚନ୍ଦ୍ର ରଣା, ଦେବରାଜ ସାହୁ, ହିମାଂଶୁ ସାହୁ, ପ୍ରିୟବ୍ରତ ପାଲିତ, ପ୍ରମୋଦ ସାହୁ, ଉମେଶଚନ୍ଦ୍ର ସାହୁ, ଜିତେନ୍ଦ୍ର ତରାଇ ଓ ବିଭୂ ମିଶ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.