ଓଡ଼ଗାଁ, ୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଏକ ବର୍ଷ ପୂର୍ବେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଜବତ କରିବା ସହ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁର ସୁକାନ୍ତ ମହାନ୍ତି (୩୨)। ତାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ନନ୍ଦିଘୋର ପଞ୍ଚାୟତ କେନାଲ ଛକ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱସ୍ଥ ଘଷାଦେଇପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାଘଙ୍କ ଘର ସମ୍ମୁଖରୁ ଟ୍ରାକ୍ଟର ଚୋରି ହୋଇଥିବା ନେଇ ସେ ୨୦୨୫ ସେପ୍ଟେମ୍ବର ୧୨ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ ଏନେଇ ଥାନାରେ ୨୮୩/୨୫ ନମ୍ବରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ତେବେ ପ୍ରମାଣ ଅଭାବରୁ କିଛି ମାସ ପରେ ମାମଲାଟିକୁ ବନ୍ଦ କରାଯାଇଥିଲା।
ଇତିମଧ୍ୟରେ ଚୋରି ଟ୍ରାକ୍ଟର ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ଓଡ଼ଗାଁ ଥାନା ଏସ୍ଆଇ ଚକ୍ରଧର ସିଂ ବନ୍ଦ ମାମଲାକୁ ପୁନଃ ଚାଲୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଅଭିଯୁକ୍ତଙ୍କ ବାରିପଟେ ଲୁଚାଇ ରଖାଯାଇଥିବା ଟ୍ରାକ୍ଟରକୁ ପୋଲିସ ଜବତ କରିବା ସହ ସୁକାନ୍ତଙ୍କୁ ଗିରଫ କରିଥିଲା। ତଦନ୍ତରୁ ଅଭିଯୁକ୍ତ ଟ୍ରାକ୍ଟରର ନମ୍ବର ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.