ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତା ଦିବସରେ ରାଜଧାନୀ କିମ୍ବା ସହରରେ ରହି ଉତ୍ସବ ପାଳନ କରିବା ପରିବର୍ତ୍ତେ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳକୁ ଯାଇ ସାଧାରଣ ଲୋକଙ୍କ ସହ ସମୟ ବିତାଇ ଚର୍ଚ୍ଚାରେ ରହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ବିଧାୟକଙ୍କ ଏହି ନିଆରା ଅନ୍ଦାଜ ଗ୍ରାମବାସୀଙ୍କ ମନରେ ଖୁସି ଓ ଆତ୍ମୀୟତା ସୃଷ୍ଟି କରିଛି।
ସ୍ୱାଧୀନତା ଦିବସ ଅବସରରେ ବିଧାୟକ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ। ପାହାଡ଼ ଓ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ଥିବା ସାରାଜାଲ ଗ୍ରାମରେ ପହଞ୍ଚି ସେ ସ୍ଥାନୀୟ ଲୋକଙ୍କ ସହ ମିଶିଥିଲେ। ଗ୍ରାମବାସୀଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ଦୈନନ୍ଦିନ ଜୀବନ ଓ ଚାଷବାସ ସମ୍ପର୍କରେ ଆଲୋଚନା କରିଥିଲେ।
ତେବେ ଏହି ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ବିଧାୟକ ରୂପେଶ ପାଣିଗ୍ରାହୀ ଗ୍ରାମର ଚାଷ ଜମିକୁ ଯାଇ ନିଜେ ଲଙ୍ଗଳ ଧରି ଚାଷ କରିଥିଲେ। ଜନପ୍ରତିନିଧିଙ୍କୁ ଚାଷୀଙ୍କ ଭଳି ମାଟିରେ ପାଦ ରଖି ଲଙ୍ଗଳ ଧରି ଚାଷ କରୁଥିବା ଦେଖି ନିକଟସ୍ଥ ଗ୍ରାମବାସୀମାନେ ମଧ୍ୟ ଘଟଣାସ୍ଥଳରେ ଏକାଠି ହୋଇଥିଲେ।
କେହି ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ, ଆଉ କେହି ଖୁସିରେ ବିଧାୟକଙ୍କ ସହ କଥାବାର୍ତ୍ତା କରୁଥିଲେ। ଚାଷୀଙ୍କ ଜୀବନର କଷ୍ଟ, ମାଟି ସହିତ ସେମାନଙ୍କ ସମ୍ପର୍କ ଏବଂ କୃଷି ଉପରେ ନିର୍ଭରଶୀଳ ପରିବାରଗୁଡ଼ିକର ସମସ୍ୟାକୁ ନିକଟରୁ ଅନୁଭବ କରିବାର ଏହା ଏକ ଭିନ୍ନ ପ୍ରୟାସ ବୋଲି ଗ୍ରାମବାସୀମାନେ କହିଛନ୍ତି।
ସ୍ୱାଧୀନତା ଦିବସ ଭଳି ଏକ ଜାତୀୟ ଦିବସରେ ସହରର ଆଡ଼ମ୍ବରଠାରୁ ଦୂରେଇ ଆଦିବାସୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ପହଞ୍ଚିବା ଏବଂ ଚାଷୀଙ୍କ ସହ ମାଟିରେ ମିଶିଯିବାର ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭାବନାପ୍ରବଣ ପରିବେଶ ସୃଷ୍ଟି କରିଛି। ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୂରତା କମାଇବାର ଏପରି ପ୍ରୟାସକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।
ବିଧାୟକଙ୍କ ଏହି ମାଟି ସହ ଯୋଡ଼ି ହୋଇଥିବା ଅନ୍ଦାଜର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। “ଚାଷୀଙ୍କ ସହ ମାଟିରେ, ଲୋକଙ୍କ ସହ ମନରେ”—ବିଧାୟକଙ୍କ ଏହି ନିଆରା ପଦକ୍ଷେପକୁ ନେଇ ଏଭଳି ମତ ଦେଉଛନ୍ତି ଅନେକେ।
ଗ୍ରାମବାସୀଙ୍କ ସହ ହସଖୁସିରେ ସମୟ ବିତାଇବା ଏବଂ ଚାଷ ଜମିରେ ଲଙ୍ଗଳ ଧରିବା ଘଟଣାଟି ଗୁମ୍ମା ଅଞ୍ଚଳରେ ଦିନଟିକୁ ଆହୁରି ସ୍ମରଣୀୟ କରିଦେଇଛି।
Sign in
Sign in
Recover your password.
A password will be e-mailed to you.