ବେଲଦୁଆର ଫାର୍ମ ହାଉସ୍ ପୋଖରୀରୁ ମିଳିଲା ମୃତଦେହ; ସ୍ୱାମୀ ଥାନାରେ ଆତ୍ମସମର୍ପଣ ପରେ ଗିରଫ
ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆରସ୍ଥିତ ଏକ ଫାର୍ମ ହାଉସ୍ରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତା ତପସ୍ଵିନୀ ସାହୁ (୨୯)ଙ୍କ ମୃତଦେହ ଫାର୍ମ ହାଉସ୍ ପୋଖରୀରୁ ଉଦ୍ଧାର ହୋଇଛି। ଘଟଣା ପରେ ତାଙ୍କ ସ୍ୱାମୀ କାଳୁ ଓରଫ ବକ୍ସି ପ୍ରଧାନ ଓଡ଼ଗାଁ ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ତପସ୍ଵିନୀ ଫାର୍ମ ହାଉସ୍ରୁ ବାହାରିଯାଇଥିବା ଏବଂ ଖୋଜାଖୋଜି ସମୟରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିବା ନେଇ ସ୍ୱାମୀ ପୋଲିସକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଓ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ।
ଅନ୍ୟପକ୍ଷରେ ମୃତାଙ୍କ ମା’ ଭାରତୀ ସାହୁ ଥାନାରେ ଲିଖିତ ଅଭିଯୋଗ କରି ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯୌତୁକ ବାବଦରେ ଏକ ଲକ୍ଷ ଟଙ୍କା ଆଣିବାକୁ ତପସ୍ଵିନୀଙ୍କୁ ଚାପ ପକାଯାଉଥିବା ଏବଂ ଏହାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ ମାମଲା ନମ୍ବର ୨୭୬/୨୬ରେ ତଦନ୍ତ ଆରମ୍ଭ କରିଛି।
ସେହିପରି ତପସ୍ଵିନୀଙ୍କ ମୋବାଇଲକୁ ଜଣେ ଯୁବତୀଙ୍କ ଫଟୋ ଆସିଥିବା ଏବଂ ସ୍ୱାମୀଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ସୂଚନା ମିଳିଥିବାରୁ ଦାମ୍ପତ୍ୟ ଜୀବନରେ ସନ୍ଦେହ ସୃଷ୍ଟି ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ବିବାଦ ହୋଇଥିବା ଜଣାପଡ଼ିଛି। ଘଟଣା ସମୟରେ ଦମ୍ପତିଙ୍କ ପ୍ରାୟ ସାଢ଼େ ତିନି ବର୍ଷର ଝିଅ ଘରେ ଥିବା ଏବଂ ରାତି ପ୍ରାୟ ୧୦ଟାରେ ଶୋଇପଡ଼ିଥିବା ଜଣାପଡ଼ିଛି। ଏହାପରେ ଘଟିଥିବା ଘଟଣା ସମ୍ପର୍କରେ ସେ କିଛି ଜାଣିନଥିବା ପରିବାର ପକ୍ଷରୁ କୁହାଯାଇଛି। ତପସ୍ଵିନୀ ଶରଣକୁଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ସ୍ୱର୍ଗତ ଶ୍ୟାମଘନ ସାହୁଙ୍କ ସାନ ଝିଅ। ସେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଢେଙ୍କେଣା ଗ୍ରାମର ବକ୍ସି ପ୍ରଧାନଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ବିବାଦ ହୋଇ ସମାଧାନ ହୋଇଥିବା ବେଳେ ୨୦୨୪ ଡିସେମ୍ବର ୧୫ରେ ସମାଧାନ ପରେ ସେମାନେ ବେଲଦୁଆର ଫାର୍ମ ହାଉସ୍ରେ ଏକାଠି ରହୁଥିବା ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ସଠିକ୍ ପରିସ୍ଥିତି ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ସ୍ପଷ୍ଟ ହେବ। ଆଇଆଇସି ସତ୍ୟନାରାୟଣ ବାରିକ ଓ ଏସ୍ଆଇ ଚକ୍ରଧର ସିଂଙ୍କ ନେତୃତ୍ୱରେ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଛାନଭିନ ଚଳାଇଛନ୍ତି। ମୃତାଙ୍କ ପରିବାର ଓ ସମ୍ପର୍କୀୟମାନେ ଥାନାରେ ପହଞ୍ଚି ନ୍ୟାୟ ଦାବି କରିଛନ୍ତି।