ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ନିକଟସ୍ଥ ଧଝୋଲା ଗ୍ରାମରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଧଝୋଲା ତଳସାହିର ଚିଦାନନ୍ଦ ନାୟକ (୨୫) ଓ ମଝିସାହିର ଦେବାଶିଷ ନାୟକ (୧୮)। ପ୍ରାୟ ଏକ ମାସ ପୂର୍ବେ ଜଣେ ବୃଦ୍ଧାଙ୍କୁ ମାଡ଼ ମାରି ଆହତ କରିବା ଘଟଣାରେ ଉଭୟଙ୍କ ନାମରେ ଓଡ଼ଗାଁ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ସେମାନେ ଫେରାର ଥିଲେ। ପରେ ଗାଁକୁ ଆସିଥିବା ଖବର ପାଇ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଜାମିନରେ ମୁକୁଳିବା ପରେ ଉଭୟ ଧଝୋଲାରେ ନରହି ଗରିଡ଼ିପଲ୍ଲୀସ୍ଥିତ ଅଜାଘରେ ରହୁଥିବା ଜଣାପଡ଼ିଛି।
ଡକାୟତି ଘଟଣାର ତଦନ୍ତ ବେଳେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଘଟଣା ଦିନ ଉଭୟ ଅଭିଯୁକ୍ତ ଧଝୋଲା ଗାଁକୁ ଆସିଥିବା ଏବଂ ଡକାୟତିରେ ସେମାନଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସୂଚନାନୁସାରେ, ଗତ ୧୨ ତାରିଖ ବିଳମ୍ବିତ ରାତି ତଥା ୧୩ ତାରିଖ ପ୍ରାୟ ରାତି ୧ଟା ସମୟରେ ଭିକାରୀ ନାୟକଙ୍କ ଘରର ବାରିପଟ କବାଟ ତାଡ଼ି ପ୍ରାୟ ୮ ଜଣ ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ଘରେ ପଶିଥିଲେ। ସେମାନେ ଖଣ୍ଡା ଦେଖାଇ ପରିବାରକୁ ଭୟଭୀତ କରି ୩ଟି ଆଣ୍ଡ୍ରଏଡ୍ ଫୋନ୍, ନଗଦ ୬୦ ହଜାର ଟଙ୍କା ସହ ବହୁ ପରିମାଣର ସୁନା ଗହଣା ଲୁଟି ନେଇଥିଲେ। ଏନେଇ ଭିକାରୀ ନାୟକ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ନଂ. ୨୭୪/୨୬ ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପୁଲିସର ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.