ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ନେତାଙ୍କୁ ପୁଲିସର ଅଟକ । ମାଲକାନଗିରି ଏମଭି-୭୯ରେ ବିଜେଡି ଛାତ୍ରନେତା ରାକେଶ ମଣ୍ଡଳଙ୍କୁ ପ୍ରାୟ ଦୁଇ ଘଣ୍ଟା ଅଟକ ରଖି ପଚରାଉଚରା । ମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ ଆଶଙ୍କାରେ ପୁଲିସର ପଦକ୍ଷେପ । ତେବେ ପ୍ରଶ୍ନ—କେବଳ ଆଶଙ୍କା ଆଧାରରେ ଜଣେ ରାଜନୈତିକ କର୍ମୀଙ୍କୁ ଅଟକ ରଖାଯିବା କେତେ ଯୁକ୍ତିସଙ୍ଗତ?
ରାତି ପାହିଲେ ସ୍ୱାଧୀନତା ଦିବସ । ମାଲକାନଗିରିରେ ହେବ ଜିଲ୍ଲାସ୍ତରୀୟ ସମାରୋହ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତେବେ ରାଜନୈତିକ ମହଲରେ ଚର୍ଚ୍ଚା । ଏମଭି-୭୯ରେ ବିଜେଡି ଛାତ୍ର ସଂଗଠନ ସହ ସମ୍ପୃକ୍ତ ରାକେଶ ମଣ୍ଡଳଙ୍କୁ ପୁଲିସ ପ୍ରାୟ ଦୁଇ ଘଣ୍ଟା ଅଟକ ରଖି ପଚରାଉଚରା କରିଛି ।
ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ ଗସ୍ତ ସମୟରେ ସମ୍ଭାବ୍ୟ କଳାପତାକା ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ପ୍ରତିବାଦକୁ ନେଇ ପୁଲିସ ପୂର୍ବରୁ ସତର୍କ ଥିଲା । ସେହି ଆଶଙ୍କାରେ ରାକେଶଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି ।
ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ତେବେ କେଉଁ ଆଇନଗତ ଆଧାରରେ ତାଙ୍କୁ ଅଟକ ରଖାଗଲା, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।
ଏପଟେ ପାଠ୍ୟପୁସ୍ତକରେ କଥିତ ତ୍ରୁଟିକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ପ୍ରତିବାଦ ଜାରି ରହିଛି । ଗଣଶିକ୍ଷା ବିଭାଗର ମନ୍ତ୍ରୀ ମାଲକାନଗିରି ଆସୁଥିବାରୁ ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରତିବାଦ ହୋଇପାରେ ବୋଲି ଚର୍ଚ୍ଚା ଥିଲା ।
କିନ୍ତୁ ପ୍ରତିବାଦ ଘଟିବା ପୂର୍ବରୁ ହିଁ ଜଣେ ବିଜେଡି ଛାତ୍ରନେତାଙ୍କୁ ପୁଲିସ ଅଟକ ରଖିବା ଘଟଣା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ।
ବିରୋଧ ପ୍ରଦର୍ଶନ କରିବା ଗଣତାନ୍ତ୍ରିକ ଅଧିକାର । ତେବେ ଆଇନଶୃଙ୍ଖଳା ରକ୍ଷା ନାଁରେ ପୂର୍ବରୁ ରାଜନୈତିକ କର୍ମୀଙ୍କୁ ଅଟକ ରଖାଯିବାକୁ ନେଇ ଉଠିଛି ପ୍ରଶ୍ନ ।
ମନ୍ତ୍ରୀଙ୍କ ସୁରକ୍ଷା ଓ ସ୍ୱାଧୀନତା ଦିବସର ଶାନ୍ତିଶୃଙ୍ଖଳା ପାଇଁ ପୁଲିସର ପ୍ରସ୍ତୁତି ରହିଛି । ହେଲେ ଗଣତାନ୍ତ୍ରିକ ବିରୋଧର ସ୍ୱରକୁ ଆଗୁଆ ଅଟକାଇବା ଉଦ୍ୟମ ହେଉଛି କି—ଏହି ପ୍ରଶ୍ନ ଏବେ ମାଲକାନଗିରି ରାଜନୀତିରେ ଚର୍ଚ୍ଚାରେ ।