ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମରାକୁଟା-ଜମେରାବାସୀ
ଝାରସୁଗୁଡ଼ା, : ମରାକୁଟା ଓ ଜମେରା ଗ୍ରାମପଞ୍ଚାୟତ ଅଞ୍ଚଳର ରାସ୍ତା ନିର୍ମାଣ, ମରାମତି ଏବଂ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ନେଇଥିବା ବେଳେ ବର୍ଷା ଋତୁ ଶେଷ ହେବା ପରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ପ୍ରକାଶ ଥାଉକି, ୨୦୧୬ ମସିହାରେ ପୂର୍ବତନ ଆକ୍ସନ କମ୍ପାନୀ ବନ୍ଦ ହେବା ପରେ ମରାକୁଟା ଓ ଜମେରା ଅଞ୍ଚଳରେ ଆର୍ଥିକ ମନ୍ଦାବସ୍ଥା ସହ ବେକାରୀ ସମସ୍ୟା ଦେଖାଦେଇଥିଲା। ୨୦୨୪ରେ ରୁଙ୍ଗଟା କମ୍ପାନୀ ଏହାକୁ ଅଧିଗ୍ରହଣ କରିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି। କମ୍ପାନୀ ପକ୍ଷରୁ କିଛି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ବ୍ୟବସାୟିକ ସୁଯୋଗ ମିଳିଥିବା ବେଳେ ଅବଶିଷ୍ଟ ଦାବିଗୁଡ଼ିକ ପୂରଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏନଏଚ୍-୪୯ ବୁଢ଼ୀପଦରରୁ ମରାକୁଟା ପର୍ଯ୍ୟନ୍ତ ଗ୍ରାମୀଣ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। କମ୍ପାନୀର ଭାରୀ ଯାନବାହନ ଚଳାଚଳ ଯୋଗୁଁ ରାସ୍ତାଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ତୁରନ୍ତ ପ୍ରଶସ୍ତୀକରଣ, ମରାମତି ଓ ଆବଶ୍ୟକ ସ୍ଥାନରେ ନୂତନ ନିର୍ମାଣ କରିବାକୁ ଦାବି ହୋଇଛି।
ଏଥିସହ କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ପ୍ରଥମ ପ୍ରାଥମିକତା, ଜନସୁବିଧା ବୃଦ୍ଧି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦକ୍ଷେପ ସହ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଦାବି କରାଯାଇଛି। ଏହାଛଡ଼ା କିଛି ବ୍ୟକ୍ତି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଅଞ୍ଚଳର ଶାନ୍ତିପୂର୍ଣ୍ଣ ପରିବେଶକୁ ନଷ୍ଟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଦାବିପତ୍ର ପ୍ରଦାନ ସମୟରେ ଝାରସୁଗୁଡ଼ା ବ୍ଲକ ଚେୟାରମ୍ୟାନ୍ ଚିତ୍ରେଣୀ ପଟେଲ, ମରାକୁଟା ଗ୍ରାମପଞ୍ଚାୟତ ସମିତି ସଭ୍ୟା ସୁଜାତା ମେହେର, ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ, ମରାକୁଟା ସରପଞ୍ଚ ଲିଲି ତନ୍ତୀଙ୍କ ସମେତ ମରାକୁଟା ଓ ଜମେରା ଅଞ୍ଚଳର ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଆଶ୍ୱାସନା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ପ୍ରକାଶ ପାଇଛି।