ଝାରସୁଗୁଡା, ୧୪/୮: ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବା ପରେ ସ୍ଥାନଟି ‘ଅପବିତ୍ର’ ହୋଇଥିବା ଦର୍ଶାଇ କିଛି ବିଜେପି କର୍ମୀଙ୍କ ପକ୍ଷରୁ ‘ଶୁଦ୍ଧିକରଣ’ କାର୍ଯ୍ୟକ୍ରମ ଆୟୋଜନକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ତୀବ୍ର ନିନ୍ଦା କରିଛି।
ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସଭାରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଏଭଳି ପଦକ୍ଷେପକୁ ଘୃଣ୍ୟ, ଅଗଣତାନ୍ତ୍ରିକ ଓ ସଂକୀର୍ଣ୍ଣ ମାନସିକତାର ପରିଚୟ ବୋଲି ଅଭିହିତ କରିଥିଲେ।
ବକ୍ତାମାନେ କହିଥିଲେ, ଜଣେ ବରିଷ୍ଠ ରାଜନେତା ତଥା ବିରୋଧୀ ଦଳର ଜାତୀୟ ସଭାପତିଙ୍କ ପ୍ରତି ଏଭଳି ଆଚରଣ ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ ଓ ସାମାଜିକ ସଦ୍ଭାବକୁ କ୍ଷୁଣ୍ଣ କରୁଛି। ରାଜନୈତିକ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ କୌଣସି ନେତାଙ୍କ ଉପସ୍ଥିତିକୁ ‘ଅପବିତ୍ର’ ବୋଲି ଅଭିହିତ କରିବା ନିନ୍ଦନୀୟ ବୋଲି ସେମାନେ କହିଥିଲେ।
ଏଭଳି ବିଭାଜନକାରୀ ଓ ଘୃଣା ସୃଷ୍ଟିକାରୀ ରାଜନୀତିରୁ ବିଜେପି ନିବୃତ୍ତ ରହିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ, ବରିଷ୍ଠ ନେତା ପ୍ରଶାନ୍ତ ତ୍ରିପାଠୀ, ଉପସଭାପତି ଅଲେଖ କୁମାର, ରିୟାଜ ହୁସେନ, ସାଧାରଣ ସମ୍ପାଦକ ସାଲିମ ଖାନ, ନଗର ସଭାପତି ଦେବାନନ୍ଦ ବାରିକ, ଭାଗିରଥି ପାତ୍ର, ସଞ୍ଜୟ ମହାପାତ୍ର, ଝିସନ ମଲ୍ଲିକ, ସଉକି ଲୁହା, ଏମଡି ଇକବାଲଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।