ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଆଜି ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ର ତ୍ରିରଙ୍ଗା ପତାକା ପ୍ରଦର୍ଶନ କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଉତ୍ସାହ ଓ ଉଦ୍ଦୀପନାର ସହ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀ ପ୍ରୀତମ କୁମାର ମହଲା,ଡ. ଚିନ୍ମୟ ମହାନନ୍ଦ, IQAC ସଂଯୋଜକ ଡ. ଦେବାଶିଷ ପହି, ଡ.ହିମାଂଶୁ ଶେଖର ସାହୁ, ଶ୍ରୀ ରଞ୍ଜିତ ମାଡକାମୀ, ଡ. ନାଇଜଲ ପିଟର ଓବ୍ରାଏନ୍ ଓ ଡ. ଦୀନବନ୍ଧୁ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ।

ଶୋଭାଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଜାତୀୟତାବୋଧ ଓ ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମ ପ୍ରତି ସମ୍ମାନର ଭାବନା ଜାଗ୍ରତ କରାଯାଇଥିଲା। ସମସ୍ତଙ୍କ ସକ୍ରିୟ ସହଯୋଗରେ ତ୍ରିରଙ୍ଗା ଶୋଭାଯାତ୍ରାଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।