ଡାକ୍ତରଙ୍କ ତୁଳନାରେ ରୋଗୀ ପ୍ରବଳ, ଅଶ୍ବଚ୍ଛ ଅବସ୍ଥାରେ ଶୌଚାଳୟ ସାମ୍ନା ରାସ୍ତା,
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ଡାକ୍ତରଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ହେଉଥିବାରୁ ପ୍ରତିଦିନ ଶହ ଶହ ରୋଗୀ ଏଠାକୁ ଆସୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟକର ପରିବେଶ ମିଳୁନାହିଁ। ବିଶେଷକରି ଡାକ୍ତରଖାନା ପରିସରରେ ଥିବା ଶୌଚାଳୟର ଦୁରବସ୍ଥା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବର୍ଷା ଯୋଗୁଁ ଶୌଚାଳୟ ସମ୍ମୁଖ ଅଞ୍ଚଳ ପାଣି ଓ କାଦୁଅରେ ଭରି ରହୁଛି। ଫଳରେ ରୋଗୀମାନେ ଶୌଚାଳୟ ମଧ୍ୟକୁ ଯିବାକୁ ଅସୁବିଧା ଭୋଗୁଛନ୍ତି। ଶୌଚାଳୟର ଅପରିଷ୍କାର ପରିବେଶ ଯୋଗୁଁ କେତେକ ରୋଗୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ଅପେକ୍ଷା ବିକଳ୍ପ ବ୍ୟବସ୍ଥା କରି ଅନ୍ୟତ୍ର ଯିବାକୁ ପସନ୍ଦ କରୁଥିବା ଅଭିଯୋଗ ହୋଇଛି। ତେବେ ଆର୍ଥିକ ଦୃଷ୍ଟିରୁ ଅସହାୟ ରୋଗୀମାନେ ବାଧ୍ୟ ହୋଇ ଏଠାରେ ରହି ଚିକିତ୍ସିତ ହେଉଛନ୍ତି।
ବିଶେଷକରି ଝାଡ଼ାବାନ୍ତି ଭଳି ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ପରିଷ୍କାର ଓ ସୁବିଧାଜନକ ଶୌଚାଳୟର ଆବଶ୍ୟକତା ଅଧିକ ରହିଥାଏ। ଏଭଳି ସ୍ଥିତିରେ ଶୌଚାଳୟର ଦୁରବସ୍ଥା ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପରିମଳ ବ୍ୟବସ୍ଥା ସୁଧାରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏଠାରେ ମାତ୍ର ଜଣେ ନିୟମିତ ଡାକ୍ତର ନିଯୁକ୍ତ ଥିବାବେଳେ ଅନ୍ୟ ଡାକ୍ତରମାନେ ବିଭିନ୍ନ ସ୍ଥାନରୁ ଅସ୍ଥାୟୀ ଭାବେ ଆସି ସେବା ଯୋଗାଉଛନ୍ତି। ଫଳରେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସାସେବା ମିଳିବାରେ ସମସ୍ୟା ହେଉଥିବା ଅଭିଯୋଗ ରହିଛି। ଏଥିପାଇଁ ଅନେକ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁହାଁ ହେଉଥିବା ବେଳେ ସେଠାରେ ମଧ୍ୟ ରୋଗୀଙ୍କ ଚାପ ବଢ଼ୁଛି। ତେଣୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନିଯୁକ୍ତି ସହ ମୌଳିକ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ ସାଧାରଣରେ ଦାବି ହେଉଛି।