ଚଳନ୍ତା ବସରୁ ଖସି ମହିଳା ଯାତ୍ରୀ ଗୁରୁତର

10


ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଦେଓଗାଁର ଜଣେ ମହିଳା ଯାତ୍ରୀ ଚଳନ୍ତା ବସ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣକ ପାଣ୍ଡେରିପଡ଼ା ପଞ୍ଚାୟତ ଦେଓଗାଁର ବବିତା ସ୍ୱାଇଁ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ମୁଖ୍ୟମନ୍ତ୍ରୀ ବସ୍‌ସେବା ଯୋଜନା ଅଧୀନରେ ଓଡ଼ିଶା ପରିବହନ ନିଗମର ଏକ ବସ୍‌ ଓଡ଼ଗାଁରୁ ବାହାରି ପନ୍ତିଖାରୀ, ଦେଓଗାଁ, କୁରାଳ ଦେଇ ସୁନାମୁହିଁ ଅଭିମୁଖେ ଯାଉଥିଲା। ବବିତା ବ୍ୟାଙ୍କ କାମରେ ଦେଓଗାଁରୁ କୁରାଳ ଯାଉଥିଲେ। କୁରାଳ ପହଞ୍ଚିବା ପୂର୍ବରୁ ଏକ ମୋଡ଼ରେ ବସ୍‌ଟି ବୁଲୁଥିବା ସମୟରେ ଗେଟ୍‌ ନିକଟରେ ଠିଆ ହୋଇଥିବା ବବିତା ଗାଡ଼ି ମଧ୍ୟରୁ ଛିଟିକି ରାସ୍ତାକଡ଼ରେ ପଡ଼ି ଏକ ଗଛରେ ଧକ୍କା ଖାଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ କୁରାଳ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗଛରେ ଧକ୍କା ଖାଇଥିଲେ ମଧ୍ୟ ବସ୍‌ର ଚକା ତଳେ ନପଡ଼ିବାରୁ ବବିତା ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିବା କୁହାଯାଉଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସ୍‌ର ଗେଟ୍‌ ନିକଟରେ ଠିଆ ହେବା ଏବଂ ବସ୍‌ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.