ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଲୁଟତରାଜ ବଢ଼ିଚାଲିଥିବାକୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ଗତ ୩ ଦିନ ମଧ୍ୟରେ ନୟାଗଡ଼ ସଦର, ଗଣିଆ ଓ ଓଡ଼ଗାଁ ଥାନା ଅଞ୍ଚଳରେ ପ୍ରାୟ ସମାନ ଢଙ୍ଗରେ ସଶସ୍ତ୍ର ଡକାୟତି ଘଟିଥିବା ବେଳେ ଡକାୟତମାନେ ଖଣ୍ଡା ଭଳି ମାରଣାସ୍ତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ନିକଟ ଧଝୋଲା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟିଛି। ଅଭିଯୋଗ ଅନୁଯାୟୀ, ପ୍ରାୟ ୮ ଜଣ ମୁହଁରେ କଳା ପଟି ବାନ୍ଧି ଭିକାରୀ ନାୟକଙ୍କ ଘରେ ପଶିଥିଲେ। ବାରିପଟ କବାଟ ତାଡ଼ି ଘରେ ପଶିବା ପରେ ଖଣ୍ଡା ଦେଖାଇ ପରିବାରକୁ ଭୟଭୀତ କରିଥିଲେ। ଡକାୟତମାନେ ଭିକାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ତାଙ୍କ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ପରେ ପୋଲିସକୁ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇ ଘରୁ ୩ଟି ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନେଇଯାଇଥିଲେ।
ଏହାପରେ ଡକାୟତମାନେ ଘରର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ ହଜାର ଟଙ୍କା ସହ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିବା ଭିକାରୀ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି। ଲୁଟ୍ ହୋଇଥିବା ଅଳଙ୍କାର ମଧ୍ୟରେ ସୁନା ହାର, ମଙ୍ଗଳସୂତ୍ର, ୨ଟି ସୁନା ଚେନ୍, ବ୍ରେସଲେଟ୍, ଲକେଟ୍, କାନଫୁଲ, ସୁନା ମୁଦି ଓ ଚୁଡ଼ି ସହ ୩ ହଳ ରୂପା ପାଉଁଜି ଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଲୁଟ୍ ହୋଇଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଦାବି କରାଯାଇଛି।
ଏହି ଘଟଣାରେ ଓଡ଼ଗାଁ ପୋଲିସ ୨୭୪/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ଜଣାପଡ଼ିଛି। ତେବେ ଘଟଣାରେ ସେମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟୀକରଣ ମିଳିନାହିଁ।
ଅନ୍ୟପକ୍ଷରେ, ଗତ ଦୁଇ ଦିନ ମଧ୍ୟରେ ନୟାଗଡ଼ ସଦର ଥାନା ଅଧୀନ ଖେଡ଼ପଡ଼ା ଗ୍ରାମରେ ଘରେ ପଶି ଆକ୍ରମଣ କରି ଚେନ୍ ଓ ମୁଦି ଲୁଟ୍ ଅଭିଯୋଗ ହୋଇଥିବା ବେଳେ ଗଣିଆ ଥାନା ଅଧୀନ କରଡ଼ାପଡ଼ାରେ ଖଣ୍ଡା ଦେଖାଇ ପ୍ରାୟ ୧୫ ଲକ୍ଷ ଟଙ୍କା ସହ ବହୁ ପରିମାଣର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ରହିଛି। ଅଳ୍ପ ସମୟ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସମାନ ଢଙ୍ଗରେ ସଶସ୍ତ୍ର ଡକାୟତି ଘଟଣା ଘଟିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣା ଗୁଡ଼ିକରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
Sign in
Sign in
Recover your password.
A password will be e-mailed to you.
Next Post